ସଜନା– ସମ୍ପର୍କର ଡୋର
ଅନିତା ଆଜି ଖୁସିରେ ଉଛୁଳୁଛନ୍ତି। କାରଣଟା କ’ଣ କି ଅନିତାଙ୍କ ଭାଇ ଫୋନ୍ କରି କହିଲେ, “ଆରେ ଅନି ! କେବେଠାରୁ ତ ଘରକୁ ଆସିନାହୁଁ, ଆସେ ୪-୫ ଦିନ ରହି ବୁଲାବୁଲି କରି ଯିବୁ। କାହିଁ କେତେ ଦିନ ହେଲାଣି ବାପଘରକୁ ବି ସେ ଯାଇନାହାନ୍ତି। ମନ କେମିତି ଖୁସି ନହେବ ଯେ !!!” ହେଲେ ଶାଶୁଙ୍କ ବିନା ଅନୁମତିରେ କେମିତି ବା ସେ ଯାଇପାରିବେ… ଗତ ରାତିରେ ଭାଇ ଫୋନ୍ କରିଥିଲେ। କିନ୍ତୁ ଶାଶୁ ସେତେବେଳକୁ ଶୋଇ ପଡିଲେଣି। ଭାବିଲେ …ସକାଳେ ବୋଉଙ୍କୁ ଜଣାଇ ବାପଘରକୁ ଯିବେ। ପୁଅର ସ୍କୁଲ୍ ରେ ଏଇନେ ଫଙ୍କସନ ଯୋଗୁଁ ଛୁଟି ଅଛି , ୪-୫ ଦିନ ରହି ବୁଲାବୁଲି କରି ଫେରିଆସିବେ।
ଠାକୁର ପୂଜା ସାରି ସମସ୍ତଙ୍କୁ ସକାଳ ଚା’, ଜଳଖିଆ ଦେଲା ପରେ ଅନୀତା ଶାଶୁଙ୍କ ଆଗରେ ଭାଇଙ୍କ ଫୋନ୍ କଥା ଜଣାଇଲେ। ବାପଘରକୁ ଯିବା କଥା ଶୁଣି ହଠାତ୍ ବୋଉ ଚିହିଁକି ଗଲେ। କହିଲେ , “ଭାଇ ଫୋନ୍ କଲେ, ଆଉ ତୁ ବାହାରିଲୁ ଯିବା ପାଇଁ। ମୁଁ କ’ଣ ପାଇଁ ଏ ଘରେ ଅଛି ?? ମୋତେ କେହି କିଛି ନ ପଚାରି ମନକୁ ମନ ସବୁ ମୂରବୀ ହେଇଯାଉଛ।” ଏତିକିରେ ଅନିତାଙ୍କ ଆଖିରୁ ଧାରା ଶ୍ରାବଣ ଭଳି ଲୁହ ବୋହି ଚାଲିଲା।
ସୁଶାନ୍ତ ଦେଖି ପଚାରିଲେ, “ଆରେ କ’ଣ ହେଲା ଅନି, କାନ୍ଦୁଛ କାହିଁକି ? ଅନିତା ଆଉ କ’ଣ ବା କହିବେ…ଆଜି ପର୍ଯ୍ୟନ୍ତ ତ ସବୁ କଥାରେ ସେ ଚୁପ୍। ଛୋଟ ନଣନ୍ଦ ସିମି କହିଲେ ଯେ ବୋଉ ଭାଉଜଙ୍କ ବାପ ଘର ଯିବା ନେଇ ରାଗିକି କ’ଣ କହିଦେଲା…ଆଉ ଭାଉଜ କାନ୍ଦି ପକାଇଲେ।ସୁଶାନ୍ତ କାହାକୁ କ’ଣ କହିବେ କିଛି ବୁଝି ପାରିଲେ ନାହିଁ। ଏଣୁ ମାରିଲେ ଗୋ-ହତ୍ୟା, ତେଣୁ ମାରିଲେ ବ୍ରହ୍ମହତ୍ୟା… ଘର ଦାୟିତ୍ଵ ତୁଲାଉ ତୁଲାଉ ଅନିତା ନିଜକୁ ଏମିତି ଭୁଲି ଯାଆନ୍ତି ଯେ ବାପ ଘରକୁ ଯିବା କେବେ କହନ୍ତି ନାହିଁ। ଗତରାତିରେ ଭାଇ ବହୁତ କରି କହିଥିବାରୁ ଆଜି ସେ ବାହାରିଥିଲେ। ବୋଉର ଅନୁମତି ନମିଳିଲେ ସେ ଯାଇ ପାରିବେନି। ତାଙ୍କୁ କିଛି ଗୋଟେ କରିବାକୁ ପଡ଼ିବ ଭାବି ସେ ଗଲେ ବୋଉଙ୍କ ପାଖକୁ। ଭଉଣୀକୁ ଡାକି କହିଲେ,
— ଆରେ ସିମି ! ବୋଉ କୁଆଡେ ଗଲା କିରେ ?
— ବୋଉ ବାରି ପଟ ସଜନାଗଛରୁ ସଜନା ଶାଗ ଆଣିବାକୁ ଯାଇଛି, ଭାଇ !
ସୁଶାନ୍ତଙ୍କର ସଜନା ଶାଗ ଭାରି ପ୍ରିୟ। ଆଜି ମାଛ ହେଇଛି। ବୋଉ ମାଛ ଖାଏ ନାହିଁ ବୋଲି ଅନିତା ଦହି କଡ଼ି ଆଉ ସନ୍ତୁଳା କଲେ। ଛୁଙ୍କ ବାସ୍ନାଟା ବେଡ଼ରୁମ୍ କୁ ଭାସି ଆସୁଥିଲା । ସକାଳୁ ଶୀଘ୍ର ଉଠି ଘରକୁ ଯିବେ ବୋଲି ବୋଉର ମନ ପସନ୍ଦର ଖାଇବା ସବୁ ରାନ୍ଧିଥିଲେ। ଆଉ ସଜନା ଶାଗ ଯେମିତି ହେଲେ ବୋଉ କହିବ କରିବାକୁ। କହିବ – ଖାଲି ଜିରା, ସୋରିଷ ଟିକେ ଫୁଟାଇ ଝୁଣୁଝୁଣିଆ କରି ଭାଜିଦେ। ସେଇଟା ଟିଫିନ୍ ରେ ପୁରାଇ ରଖିଦେଲେ ୪-୫ ଦିନ ଯାଏଁ ରହିବ। ସେଇଥିରୁ ସୁଶାକୁ ଖାଇଲାବେଳେ ଟିକେ ବାଢିଦେବୁ। କେତେବେଳେ ପୁଣି ମୁଗ ଦେଇ ଶାଗ କରିବାକୁ କୁହେ ତ ଆଉ କେତେବେଳେ କଖାରୁ , ପିଆଜ , ରସୁଣ ଦେଇ ଭାଜିବାକୁ କୁହେ। ଯେତେ ପ୍ରକାର ରନ୍ଧା ହୋଇଥିଲେ ବି ସଜନା ଶାଗ ହିଁ ହେବ। ଏମିତି ଭାବି ଭାବି ସେ ଆସି ବୋଉ ପାଖରେ ପହଞ୍ଚି ଯାଇଥିଲେ। ବୋଉର ପରମିଶନ୍ ନ ମିଳିଲେ ଅନିତା କେବେ ଯିବେନି ବୋଲି ସେ ଜାଣିଛନ୍ତି।
— ବୋଉ ! ଅନି ତାଙ୍କ ଘରକୁ ଯିବା ପାଇଁ ଭାଇ କାଲି ରାତିରେ ଫୋନ୍ କରିଥିଲେ। ଯାଉ ସେ। ୪-୫ ଦିନ ରହି ବୁଲାବୁଲି କରି ଚାଲିଆସିବ।
ସୁଶାନ୍ତ ଦେଖିଲେ, ବୋଉ ପୁଣି ପାଟିତୁଣ୍ଡ କରି ରାଗିକି ଯାହା ମନକୁ ଆସିଲା ତାହା କହିପକାଇଲା।
—- ଆରେ …ତା’ ଭାଇ କ’ଣ ମୋ ଘରର ମୂରବୀ ଯେ ସିଏ ଫୋନ୍ କରିଦେଲେ ସବୁ ସେଇ ଅନୁସାରେ ଚାଲିବ। କ’ଣ ପାଇଁ ଅଛି ମୁଁ ଏ ଘରେ … ଯାଉଛି ପୁରୀ ପଳାଇବି , ନ ହେଲେ ଗାଁକୁ। ମୋର ଏଠି ଆଉ କି କାମ ଅଛି , ମୁଁ ନଥିଲେ କ’ଣ ଘର ଅଚଳ ହୋଇପଡିବ। ଇଏ ଆସିଲା ତା’ପାଇଁ ଓକିଲାତି କରିବାକୁ… ଶେ଼ଃ !
ଏତିକି ବେଳକୁ କାମ କରୁଥିବା ଝିଅଟି ପହଁଚିଗଲା। ସବୁ ରାଗ ତା’ ଉପରେ ବର୍ଷା ହେଲା… ଲକ୍ଷ୍ମୀ ଛାଡ଼ିଯିବେ ଏ ଘରୁ। ଏତେ ଡେରି ଯାଏଁ କ’ଣ ବାସନ ସବୁ ପଡ଼ିରୁହେ। ଯା…ଯା କାଲିଠାରୁ ତୋର କାମକୁ ଆସିବା ବନ୍ଦ। ବିଚାରିଟା କ’ଣ ବା କରିପାରିବ… ବାପା ନାଇଁ , ମା’ କତରାଲଗା ହୋଇ ଶେଯରେ ପଡ଼ିଛି। ଛୋଟ ଛୋଟ ଭାଇଭଉଣୀ ଦି’ଟା ତା’ର। ମା’କୁ ଓୌଷଧପତ୍ର ଦେଇ , ଖୁଆଇ ସାରି କାମକୁ ବାହାରେ। ସେଇମାନଙ୍କ ମୁହଁକୁ ଅନାଇ ସେ ସବୁ ସହିଯାଇ କାମ ଛାଡେନି। ଅନିତା ସେଥିପାଇଁ ପଇସା ଆଉ କିଛି ବି ଦେଇଦିଅନ୍ତି। ଚା’ କପେ ଲୁଚାଇକି ରୋଷେଇ ଘର ଝରକା ବାଟେ ଥିରିକି ବଢାଇ ଦିଅନ୍ତି ଲକ୍ଷ୍ମୀ ହାତକୁ।
ରୋଷେଇ ଘରକୁ ଲାଗିଛି ବାରିଟା। ଝରକା ବାଟେ ଭାସି ଆସୁଛି ବୋଉଙ୍କ ସ୍ୱର… ମୁଁ କ’ଣ ମରିଗଲେ ଆସିବି ଏଠିକୁ କିଏ କ’ଣ କଲା ଦେଖିବାକୁ। ଆରେ… କିଛି ନକହିଲାରୁ ମୁହଁ ବଢିଯାଉଛି । ‘ଆପଣା ସୁନା ତ ଭେଣ୍ଡି’ ପର ଝିଅକୁ କ’ଣ କହିବ…ତା’ପରେ ଦେଖ , ସୁଶାନ୍ତଙ୍କ ରାଗ।
— ବୋଉ , କାହିଁକି ସକାଳଟାରୁ ଏମିତି ହଉଚୁ କହିଲୁ। ତୁଛାକୁ ତୋର ଚାଲିଛି ବକର ବକର। ପାଟିଟା ତ ଟିକେ ବନ୍ଦ କର।
ଏତିକିରୁ ଅନିତା ଜାଣିଗଲେ ଯେ ଆଗକୁ ଗୋଟେ ବିରାଟ ଝଡ ଆସୁଛି। ଅଯଥାରେ ତା’ର ଘରକୁ ଯିବା ସକାଶେ ଏ ମହାଭାରତ ଯୁଦ୍ଧ ସିନା !!! ଆଜି ଗଲେ ପୁଣି ନିଜେ କହିବେ, ଯା’ରେ ସୁଶା , ବୋହୂକୁ ଟିକେ ତାଙ୍କ ଘର ଆଡେ ବୁଲାଇ ଆଣେ। ଉପରେ ସିନା ଟାଣ , ଭିତରଟା କିନ୍ତୁ ତୁଳା ଭଳି ନରମ। ଏଇ ଘଡିଟା ଗଲେ ପୁଣି ଆଗ ଭଳି ସବୁ ଚାଲିବ। ପରିସ୍ଥିତିକୁ ଦେଖି ସୁଶାନ୍ତଙ୍କୁ ହାତ ଠାରି ଚୁପ୍ ରହିବାକୁ କହିଲା ବେଳକୁ ବୋଉ ଗେଟ୍ ଖୋଲି ଚାଲିଲେ ବାହାରକୁ। ଏଇଟା ତାଙ୍କର ଶେଷ ଅସ୍ତ୍ର ବୋଲି ଅନିତା ଜାଣିଛନ୍ତି। ଏସବୁ ତାଙ୍କର ଦେହସୁଆ ହୋଇଗଲାଣି। ଅନିତା ଦଉଡି ଯାଇ ହାତ ଧରି ଘରକୁ ଆଣିବାକୁ ହୁଅନ୍ତେ , ସେ ହାତ ଛାଟିଦେଇ ଚାଲିଲେ ଆଗକୁ ଆଗକୁ। ସୁଶାନ୍ତ ସାନଭଉଣୀ ସିମିକୁ କହିଲେ, “ଯା’ ତାକୁ ମାଉସୀ ଘରେ ଛାଡ଼ିଦେଇ ଆ।” ସେ ଜାଣିଛନ୍ତି, ମାଉସୀ ଘରେ ୭-୮ଦିନ ରହି ଗଲେ ପୁଣି ଆଗ ଭଳି ସବୁ ଠିକ୍ ଠାକ୍ ଚାଲେ। ସେଇ ଛକରେ ସାନ ମାଉସୀଙ୍କ ଘର। ନିଜେ ନେଇ ଛାଡ଼ି ଆସିଲେ ଠିକ୍, ନହେଲେ ଆଉ କୁଆଡେ ରାଗିକି ଚାଲିଯିବେ ଯଦି, ତେବେ ମଣିଷ ମହରଗରୁ କାନ୍ତାରରେ ପଡ଼ିବା ହିଁ ସାର। ତେଣୁ ସିମି ଗଲେ ମାଉସୀଙ୍କ ଘରେ ଛାଡ଼ିଦେଇ ଆସିଲେ ବୋଉଙ୍କୁ।
ଆଜି ସକାଳୁ କିଛି ଭଲ ଲାଗୁନି ଅନିତାଙ୍କୁ। ବୋଉ ରାଗିକି ଯାଇ ସେଠି ଅଛନ୍ତି , ଘର ଗୋଟାକ ତାଙ୍କୁ ଖାଁ ଖାଁ ଲାଗୁଛି। ସିମି ଠାକୁର ପୂଜା ପାଇଁ ଫୁଲ ତୋଳି ଥୋଇଦେଇ ଗଲେଣି ତାଙ୍କ ପାଠପଢ଼ା କରିବାକୁ। ପୂଜାସାରି ପୁଅକୁ ବିସ୍କୁଟ ୨ଖଣ୍ଡ ଧରାଇ ଦେଇ ସେ ଗଲେ ରୋଷେଇ ଘରକୁ। ସୁଶାନ୍ତ ଖାଇକି ଅଫିସ୍ ଯିବେ। ସୁଶାନ୍ତ ତ ସବୁବେଳେ ସେଇ ଅଫିସ୍ କାମ ଓ ବହିକୁ ନେଇ ବେଡ଼ରେ ବସିଥାନ୍ତି। ବୋଉଙ୍କ ରାଗରୁଷା , ଆଉ ଅଭିମାନ କଥା କ’ଣ ବା ସେ ଜାଣନ୍ତି !
ସବୁକାମ ସାରି ଅନିତା ଭାତ ବାଢିଦେଲେ ସୁଶାନ୍ତଙ୍କୁ । ପୁରା ଚୁପଚାପ୍ ବସି ଖାଉଥାନ୍ତି, ମନରେ ସରସତା ନାହିଁ। ସଜନା ଶାଗ କାଲିଠାରୁ ସେମିତି ଥୁଆ ହୋଇଛି ଯେ ଅନିତା ଆଉ କରିନାହାନ୍ତି। କାଲିର ଘଟଣା ପରେ ତାଙ୍କୁ ନା କିଛି କରିବାକୁ ଇଚ୍ଛା ହେଲା…ନା ଖାଇବାକୁ ଇଛା ଥିଲା। ଦୁଆର ମୁହଁରେ ଥୋଇଦେଲେ ଗାଈ ଖାଇଦେବେ। ସୁଶାନ୍ତ ଖାଇ ଦେଇ ଅଫିସ୍ ଚାଲିଗଲେ। ସିମି, ପୁଅ ଓ ସେ ଖାଇ ଦେଇ ଶୋଇ ପଡିଲେ। ମାଉସୀ ଶାଶୁଙ୍କ ଘରକୁ ସିମି ଯାଆନ୍ତି , ବୁଲିକି ଟିକେ ଚାଲି ଆସନ୍ତି। ଅନିତା ବୋଉଙ୍କ ବିଷୟରେ ସବୁ ବୁଝି ନିଅନ୍ତି ତାଙ୍କଠାରୁ। ବାହାହୋଇ ଆସିଲା ଦିନଠାରୁ ବୋଉଙ୍କ ସାଙ୍ଗରେ ସବୁ ସୁଖଦୁଃଖର ସମ୍ପର୍କ ତାଙ୍କର। ବୋଉ ସଜନା ଶାଗ ବାଛି ଦେଲେ ସେ କରିଦିଅନ୍ତି ଚଟାପଟ ଆଉ ଗରମ୍ ଗରମ୍ ବାଢିଦିଅନ୍ତି ସୁଶାନ୍ତଙ୍କ ଥାଳିରେ। ବୋଉ ନାହାନ୍ତି ବୋଲି ସୁଶାନ୍ତ ଆଉ କ’ଣ ସଜନା ଶାଗ ଖାଉଛନ୍ତି ! ଏଇ ତ କାଲି ଝିଅଟି ଶାଗ ଆଣି ବାଛି ଦେଇଥିଲା। ସେ ମୁଗ , ନଡ଼ିଆ ଦେଇ କେତେ ସୁଆଦିଆ କରି ରାନ୍ଧିଥିଲେ… ସୁଶାନ୍ତ କିନ୍ତୁ ଟିକେ ହାତ ମାରି ଅଧା ଛାଡି ଚାଲିଗଲେ।
୭-୮ ଦିନ ଚାଲି ଗଲାଣି ୟା ଭିତରେ। ସୁଶାନ୍ତ ସକାଳେ ଖାଇ ବସିଛନ୍ତି। ମାଉସୀ ଶାଶୁ ପ୍ଲେଟ୍ ଟେ ଧରି ପଶିଆସିଲେ ଘର ଭିତରକୁ। ହସି ହସି କହିଲେ — “ଆରେ ସୁଶା, ସଜନା ଶାଗ କରୁଥିଲି। ଅପା କହିଲା, ଯା’ ସୁଶା ଖାଇ ବସିଥିବ, ଦେଇ ଆ। ସଜନା ଶାଗରେ ଭାରି ଶରଧା ତା’ର।” କହି ସାରି ମାଉସୀ ସୁଶାନ୍ତଙ୍କ ଥାଳିରେ ପରଶିଦେଲେ ସଜନା।
–ତା’ ମନ କ’ଣ ସମ୍ଭାଳୁଛି… ସେଠି ଥାଇ ଖାଲି ତୋରି କଥା ଭାବି ହେଉଛି। ଘରେ କେତେ କାମ ଅଛି କହି ମାଉସୀ ଚାଲିଗଲେ। ସୁଶାନ୍ତ ବି ଅଫିସ୍ ଗଲେଣି। ଟେବୁଲ୍ ଉପରୁ ପ୍ଲେଟ୍ ଉଠାଇ ନେଇ ଅନିତା ଦେଖିଲେ ଯେ ପ୍ଲେଟ୍ ପୁରା ସଫା। ସଜନା ଶାଗ କେତେ ଖୁସିରେ ଖାଇଛନ୍ତି ସୁଶାନ୍ତ !!! ବୋଉଙ୍କ ହୃଦୟର ତାର ସତେ ଯେପରି ଯୋଡ଼ି ହୋଇ ଆସିଛି ସଜନା ଶାଗ ଭିତରେ … ଅନିତା ଭାବୁଥିଲେ , କି ନିରୁତା ସ୍ନେହ, ମମତା ! ପାଟିରେ କ’ଣ କହି ହୁଏ !!! ସେଇଟା ଖାଲି ଅନୁଭବର କଥା।
ରାତିରେ ଖାଇପିଇ ସାରି ଶୋଇବା ବେଳକୁ ଅନିତା ଦେଖିଲେ ଯେ କେତେ ଶାନ୍ତିରେ ଶୋଇଛନ୍ତି ଆଜି ସୁଶାନ୍ତ। ଟିକେ ବି ଅଫିସ୍ ର କ୍ଲାନ୍ତି ନାହିଁ ତାଙ୍କ ମୁଖମଣ୍ଡଳରେ। ସିମି ବି ବୋଉ ନାହାନ୍ତି ବୋଲି ପୁଅ ନିକଟରେ ଶୋଇ ଯାଇଛନ୍ତି। କେତେ ସୁନ୍ଦର ଆଉ ଶାନ୍ତି ଆଜି ଲାଗୁଥିଲା ଅନିତାଙ୍କୁ। ଲାଇଟ୍ ବନ୍ଦ କରି ଚୁପଚାପ୍ ଶୋଇ ପଡିଲେ ସେ।
ସକାଳୁ ଉଠି ପୂଜା ସାରି ଚା’ କରି ସୁଶାନ୍ତଙ୍କୁ ଦେଲେ। ଚା’ ପିଇ ସାରି ସୁଶାନ୍ତ କହିଲେ , “ଯାଉଛି ମାଉସୀ ଘରକୁ। ବୋଉକୁ ନେଇ ଆସିବି।” ପ୍ୟାଣ୍ଟ୍ ସାର୍ଟ ଗଳାଇ ଦେଇ ମାଉସୀଙ୍କ ଘରକୁ ଗଲେ ବୋଉଙ୍କୁ ଆଣିବାକୁ। ଅନିତାଙ୍କ ରୋଷେଇ ନ ସରୁଣୁ ବୋଉଙ୍କୁ ଧରି ପହଞ୍ଚିଗଲେ ସୁଶାନ୍ତ। ଆସୁ ଆସୁ ସଜନା ଶାଗ ଦି’ ପାଖୁଡ଼ା ଆଣୁଛି, ସୁଶା ପାଇଁ। ଖାଲି ଜିରା, ସୋରିଷ ଫୁଟାଇ ଟିକେ କରିଦେ କହି ବୋଉ ବାରିକୁ ଚାଲିଗଲେ। ବୋଉ ଶାଗ ବାଛି ଦେବା ମାତ୍ରେ ଧଡ଼ପଡ଼ କରି ଶାଗ ଭାଜି ସୁଶାନ୍ତଙ୍କୁ ଖାଇବାକୁ ବାଢିଦେଲେ ଅନିତା। ଆଉ ଟେବୁଲ୍ ପାଖରେ ହସି ହସି ବୋଉ କହୁଥିଲେ— “ଅଫିସ୍ ରୁ ଆସିଲେ ବୋହୂକୁ ନେଇ ତାଙ୍କ ଘର ଆଡେ ଟିକେ ବୁଲାଇ ଆଣିବୁ।” ଅନିତା ଭାବୁଥିଲେ–
— ସତରେ ଏ ସଜନା ଶାଗ ମା’, ପୁଅଙ୍କ ସମ୍ପର୍କର ଏକ ଦୃଢ଼ ସେତୁ। ବୋହୂ ହୋଇ ଆସିଲା ଦିନଠାରୁ ସେ ଦେଖିଛନ୍ତି, ସୁଶାନ୍ତ ସଜନା ଶାଗ ଭଲପାଆନ୍ତି ବୋଲି ପ୍ରତିଦିନ ସକାଳୁ ବୋଉ ଯେମିତି ହେଲେ ସଜନା ଶାଗ ତୋଳି ବାଛିବୁଛି କରି ତାଙ୍କୁ କହନ୍ତି ରାନ୍ଧି ଦେବାକୁ। ତାଙ୍କୁ ତ ନହେଲେ ସଜନା ଶାଗ କରିବାକୁ ବହୁତ କଷ୍ଟ ଲାଗେ। ସଜନା ଶାଗ ଭିତରେ ଏକ ମା’ର ମମତା ତାଙ୍କୁ ସ୍ପଷ୍ଟ ଭାବରେ ଦେଖାଯାଉଥିଲା।
