ବନ୍ଦେ ଉତ୍କଳ ଜନନୀ

ବନ୍ଦେ ଉତ୍କଳଜନନୀ,

ଚାରୁ-ହାସମୟୀ ଚାରୁ-ଭାଷମୟୀ,
ଜନନୀ, ଜନନୀ, ଜନନୀ॥

ପୂତ-ପୟୋଧି-ବିଧୌତ ଶରୀରା,
ତାଳ-ତମାଳ ସୁଶୋଭିତ ତୀରା,
ଶୁଭ୍ର-ତଟିନୀ-କୂଳ ଶୀକର-ସମୀରା,
ଜନନୀ, ଜନନୀ, ଜନନୀ॥

ଘନ-ଘନ-ବନଭୂମି ରାଜିତ ଅଙ୍ଗେ,
ନୀଳ-ଭୂଧର-ମାଳା ସାଜି ତରଙ୍ଗେ,
କଳକଳ-ମୁଖରିତ ଚାରୁ-ବିହଙ୍ଗେ,
ଜନନୀ, ଜନନୀ, ଜନନୀ॥

ସୁନ୍ଦରଶାଳୀ ସୁଶୋଭିତ କ୍ଷେତ୍ରା,
ଜ୍ଞାନ-ବିଜ୍ଞାନ ପ୍ରଦର୍ଶିତ ନେତ୍ରା,
ଯୋଗୀ ଋଷିଗଣ ଊଟଜ ପବିତ୍ରା,
ଜନନୀ, ଜନନୀ, ଜନନୀ॥

ସୁନ୍ଦର ମନ୍ଦିର ମଣ୍ଡିତ ଦେଶା,
ଚାରୁକଳାବଳୀ ଶୋଭିତ ବେଶା,
ପୁଣ୍ୟ ତୀର୍ଥଚୟ ପୂର୍ଣ୍ଣ ପ୍ରଦେଶା
ଜନନୀ, ଜନନୀ, ଜନନୀ॥

ଉତ୍କଳ-ସୁରବର-ଦର୍ପିତ-ଗେହେ,
ଅରିକୁଳ-ଶୋଣିତ-ଚର୍ଚ୍ଚିତ ଦେହେ,
ବିଶ୍ବଭୁମଣ୍ଡଳ-କୃତବରସ୍ନେହେ,
ଜନନୀ, ଜନନୀ, ଜନନୀ॥

କବିକୁଳ ମୌଳି-ସୁନନ୍ଦନ-ବନ୍ଦ୍ୟେ,
ଭୁବନ-ବିଘୋଷିତ-କୀର୍ତ୍ତିଅନିନ୍ଦ୍ୟେ,
ଧନ୍ୟେ, ପୁଣ୍ୟେ, ଚିରଶରଣ୍ୟେ,
ଜନନୀ, ଜନନୀ, ଜନନୀ॥

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (୯ ଡିସେମ୍ବର ୧୮୮୮- ୨୪ ଫେବୃଆରୀ ୧୯୫୩) ଜଣେ ବିଖ୍ୟାତ କବି ଥିଲେ । ସେ ଓଡ଼ିଶାର ଭଦ୍ରକ ଜିଲ୍ଲାରେ ଜନ୍ମ ନେଇଥିଲେ । ଓଡ଼ିଶାର ରାଜ୍ୟ ଗାନ ବନ୍ଦେ ଉତ୍କଳ ଜନନୀ ତାଙ୍କର ଏକ ବିରଳ କୃତି । ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚନାରେ ଦେଶ ଓ ଜାତିପ୍ରେମର ଝଲକ ଦେଖିବାକୁ ମିଳିଥାଏ । ସେ ପ୍ରାୟ ଶହେରୁ ଊର୍ଦ୍ଧ୍ଵ ଭକ୍ତି କବିତା ରଚନା କରିଥିଲେ । ତାଙ୍କର ରଚିତ କବିତା ମଧ୍ୟରୁ କିଛି ଜଣାଶୁଣା କବିତା ହେଲା: ବନ୍ଦେ ଉତ୍କଳ ଜନନୀ ପ୍ରଳୟ ଦୁନ୍ଦୁଭି ଉନ୍ମାଦ ଆର୍ଯ୍ୟ ବାହିନୀ ବିଜୟବନ ଜାତୀୟ ପତାକା ସମର ସଙ୍ଗୀତ ଏ ଦେଶ ସେ ତାଙ୍କର ଅସମ୍ପୂର୍ଣ୍ଣ ଉପନ୍ୟାସ 'କଣାମାମୁଁ' ଓ କ୍ଷୁଦ୍ରଗଳ୍ପ 'ବୁଢା ଶଙ୍ଖାରୀ' ପାଇଁ ଓଡ଼ିଶାର ଘରେ ଘରେ ପରିଚିତ ।

You may also like...