ମନବୋଧ ଚଉତିସା

କହଇ ମନ ଆରେ ମୋ ବୋଲ କର, କଳା ଶ୍ରୀମୁଖ ବାରେ ଦେଖିବା ଚାଲ |
କେତେ ଦିନକୁ ମନ ବାନ୍ଧିଛୁ ଆଣ୍ଟ, କି ଘେନି ଯିବୁ ତୋର ଛୁଟିଲେ ଘଟ ||୧||

ଖଣ୍ଡି ଯେ ଖଣ୍ଡି ତୋର ପିଞ୍ଜରା କାଠି, ଖାଉଣ ଥିବେ ଶ୍ଵାନ ଶୃଗାଳ ବାଣ୍ଟି |
ଖଟ ପଲଙ୍କେ ମନ ସଜାଇ ଶୋଉ. ଖଳ ଦୁର୍ଗନ୍ଧ ହେବ ଏ ତୋର ଦେହୁ ||୨||

ଗଲେଣି ତୋ ସଙ୍ଗରୁ ଯେତିକି ଜନ, ଗଣ୍ଠିଲେ ବାନ୍ଧି ନେଲେ କେ କେତେ ଧନ |
ଗୁରୁ ଗୋବିନ୍ଦ ନାମ ତୁଣ୍ଡେ ନବୋଲୁ, ଗାଢ଼େ ମଜ୍ଜିଣ ନିତ୍ୟ ଧନ ଅର୍ଜିଲୁ ||୩||

ଘର ବୋଲି ଅର୍ଜିଛୁ ଯେତେ ପଦାର୍ଥ, ଘଟ ଛୁଟିଲେ ତୋତେ ବୋଲିବେ ଭୂତ |
ଘର ଘରଣି ଦେହ କୀଳାଉଥିବେ, ଘେନି ବନ୍ଧୁ କୁଟୁମ୍ବ ଶୁଦ୍ଧ ହୋଇବେ ||୪||

ଉଦ୍ଧାର ହେବୁ ଯେବେ ଭବ ସାଗରୁ, ଉପାୟ କରି ଭଜ ଏବେ ଶ୍ରୀଗୁରୁ |
ଉଣା ହେଉଛି ଦିନୁ ଦିନ ଆୟୁଷ, ଆଉ ଏଣିକି ଅଛି କେତେ ବୟସ ||୫||

ଚିତ୍ର ପ୍ରତିମା ପ୍ରାୟେ ଦିଶୁ ସୁନ୍ଦର, ଚିରି ଭିତରେ ଦେଖା କି ନାରଖାର |
ଚର୍ମ ବେଢ଼ିଛି ସିନା ଚଉରାଶିକି, ଚିତ୍ତ ତୁ ଦିଆ ନୀଳଗିରିବାସୀଙ୍କି ||୬||

ଛାର ଦେହକୁ ମନ କରୁଛୁ ସଜ, ଛନ୍ଦ କପଟ ତେଜି ଗୋବିନ୍ଦ ଭଜ |
ଛୁଇଁବେ ନାହିଁ ତୋତେ ବୋଲିବେ ମଡ଼ା,  ଛ’ଖଣ୍ଡି କାଠ ହେବ ତୋ ପାଇଁ ଲୋଡ଼ା ||୭||

ଯମ ଯେ ନଜାଣଇ ବାଳୁତ ଯୁବା, ଜୀଇଁବୁ ବୋଲି ମନେ କରିଛୁ ଅବା |
ଜଣେହେଁ ଏଥୁ କେହି ନାହିଁ ଅମର, ଜଗନ୍ନାଥଙ୍କୁ ଭଜ ହେବୁ ଉଦ୍ଧାର ||୮||

ଝୋଲା ଗନ୍ଥା ପାଛୋଡ଼ା ପିନ୍ଧାକୁ ରସୁ, ଝଡ଼ ସଂସାରେ ମନ ନ ବୁଝି ପଶୁ|
ଖୁଣ୍ଟି ପଡ଼ିଲେ ଉଠି ପାରିବୁ ନାହିଁ, ଝଡ଼ିଲା ପତ୍ର ବୃକ୍ଷେ ଲାଗିଛି କାହିଁ ||୯||

ନିଶି ଦିବସ ଥୟ ନେହୁଛି ମନ, ନିଦ୍ରାରେ ଦେଖୁଅଛୁ ଯଥା ସ୍ଵପନ |
ନଯିବେ ସଙ୍ଗେ କେହି ଯିବୁ ତୁ ଏକା, ନାମ ମାତ୍ର ଅଟଇ ପଥକୁ ସଖା ||୧୦||

ଟାଣ କରୁଛୁ ମନ ସବୁ ମୋହରି, ଟଳି ପଡ଼ିଲେ କେହି ନୁହେଁ କାହାରି |
ଟେରା ଭିତରେ ଯେହ୍ନେ ଅପୂର୍ବ ନାରୀ, ଟୋପ ଚଉଁରା ଅଛି ତୋ ଦେହେ ପୂରି ||୧୧||

ଠିକେ ମୁଁ କହୁଅଛି କର ମୋ କଥା, ଠିକ ଦେହରେ ଅଛି ଶୂନ୍ୟ ଦେବତା
ଠକି ଯିବୁଟି ମନ ମୁଣ୍ଡ ପଡ଼ିଲେ, ଠିକେ ଗୁରୁଙ୍କ ସେବା କର ତୁ ଭଲେ ||୧୨||

ଡାକି କହୁଛି ମନ ଡାକ ଗୋବିନ୍ଦ, ଡର ଜଞ୍ଜାଳ ଯାଉ ମୋହର ହୃଦ |
ଡେରିଥାନ୍ତି ଶ୍ରବଣ ଭକ୍ତ ଡାକକୁ, ଡଙ୍ଗା ଯେହେ ଜଳରେ ଚାହେଁ ପଛକୁ ||୧୩||

ଢୋଲ ଯେସନେ ଢାଉଁ ଢାଉଁ ବାଜଇ, ଢଳେ ତହିଁ ଭିତରେ କିଛି ହିଁ ନାହିଁ |
ଢାଙ୍କି ରହିଛି ଦେହ ସବୁଟି ତୁଚ୍ଛ, ଢଳି ପଡ଼ିଲେ ସବୁ ହେବଟି ମିଛ ||୧୪||

ଏଣେ ତୁ ଦେଇଥିଲେ ତେଣେ ପାଇବୁ, ଅଣଆୟତ୍ତ ବେଳେ କି ଘେନି ଯିବୁ |
ଅଣବିଶ୍ବାସୀ ହୋଇ ରହିବୁ ଦିନେ, ଅନେକ ଦୁଃଖ ଦେବେ ଯମ ଭୂବନେ ||୧୫||

ତୁ ଯେ ବୋଲୁଛୁ ମୋର ଅର୍ଜିଲା ଧନ, ତୋ ଦେହ ନୁହେଁ ତୋର ଦେଖ ଏ ମନ |
ତୋହରି ସଙ୍ଗୁ ମନ ଗଲେଣି କେତେ, ତୁ ମିଥ୍ୟା କଥାକୁ ତ ଯାଉ ପରତେ ||୧୬||

ଥିଲେ ଏ ସଂସାରେ ଯେତେ ନୃପତି, ଥୟ କରି କେ ଭୋଗକଲା ଏ ପୃଥିବୀ |
ଥୋଇଲା ଧନ ତୋର ଖୁଣ୍ଟି ଖାଇବେ, ଥାନେ ତୋହର ଘର କରି ରହିବେ ||୧୭||

ଦେହେ ପୂରିଛି ତୋର ଅଶେଷ ରୋଗ, ଦିନ ଚାରିକ ସିନା ଏ ସୁଖ ଭୋଗ |
ଦଣ୍ଡେ ହେ ବେଳ ତୋତେ ରଖିବେ ନାହିଁ, ଦଣ୍ଡୁ ଯେ ଥିବେ ଯମ ଡଗର ନେଇ ||୧୮||

ଧର୍ମ ଅଧର୍ମ କଥା ନଜାଣୁ ତୁହି, ଧନ୍ଦି ହେଉଛୁ ଧନ ଅର୍ଜିବା ପାଇଁ |
ଧୋକା ରଖିଲେ ଧନ୍ଦା ଫିଟିବ ନାହିଁ, ଧର୍ମରେ ଆତଯାତ ହେଉଛି ମହୀ ||୧୯||

ନିନ୍ଦି ଅକର୍ମ କଲେ ନିନ୍ଦା ପାଇବୁ, ନରକେ ପଢ଼ି କେତେ ଦୁଃଖ ସହିବୁ |
ନିମିଷେ ମାତ୍ର ତୁଣ୍ଡେ ନ ନେଲୁ ହରି, ନାଶ-ହେତୁକୁ କିମ୍ଫା ଅଛୁ ଆବୋରି ||୨୦||

ପାହିଲା ନିଶି ଯେହ୍ନେ ରବି ଉଦୟ, ପଦ୍ମଲୋଚନ ସବୁ ଦେହେ ଉଦୟ |
ପ୍ରଭୁଙ୍କୁ ଆଶ୍ରେ କର ତରିବୁ ଯେବେ, ତା ପାଦପଦ୍ରୋ ଚିତ୍ତ ଦିଅତୁ ଏବେ ||୨୧||

ଫୁଲ ଯେସନେ ଫୁଲେ ଫୁଲେ ବିହରେ, ଫୁଲ ସମୀରେ ଆଉ ନଦିଶେ ତାରେ |
ଫୁଲ ସଂସାରେ ଲାଭ ହରି ଭଜନ, ଫାଶ ଗଳାକୁ କିମ୍ପା କରିଛୁ ମନ ||୨୨||

ବେଳକୁ ବେଳ ତୋତେ କହୁଛି ମୁହଁ, ବାନ୍ଧିଣ ନେବ ଯମ କି ଦୁଃଖ ଦେଇ |
ବିକଳେ କାନ୍ଦୁଥିବୁ ଆକୁଳ ହୋଇ, ବେଳହୁଁ ଆଶ୍ରେକରି ଭଜ ଗୋସାଇଁ ||୨୩||

ଭେଳା ବୁଡ଼ିବ ହେଳା କଲେ କହୁଛି, ଭଙ୍ଗା ନାବରେ କିଏ ସିନ୍ଧୁ ତରିଛି |
ଭାବକୁ ନିକଟ ସେ ଅଭାବେ ଦୂର, ଭକତ ଦାସ କହେ ଜୀବନ ଛାର ||୨୪||

ମିଥ୍ୟା ଭାୟା ସଂସାର ନୋହେ କାହାରି, ମଲା ବୋଲିଣ ଦିନେ ପଡ଼ିବ ହୁରି |
ମହୀ ଭିତରେ କେହି ଦେଖିବ ନାହିଁ, ମଲା ବୋଲି କାନ୍ଦୁଛୁ ମରିବୁ ତୁହି ||୨୫||

ଜନମ ହେଲେ ପ୍ରାଣୀ ଅବଶ୍ୟ ମରି, ଯଶ ରଖିବୁ ଯେବେ ଭଜ ଶ୍ରୀହରି |
ଯମ ବାନ୍ଧିନେବେଟି ହେବୁ ମେଲାଣି, ଜଗନ୍ନାଥ ମହିମା ଲଣିକି ଆଣି ||୨୬||

ରଙ୍ଗ ପସରା ସିନା ଭବ ସାଗର, ରଙ୍ଗ ଭିତରେ ଅଛି କି ନାରଖାର |
ରୂପ ପ୍ରତିମାକୁ ତୁ ପରତେ ନଯା, ରହିବେ ନାହିଁ କେହି ରଜା ପରଜା ||୨୭||

ଲୋଚନେ ଦେଖି କଣ୍ଣ ଶୁଣୁଛୁ ନିତି, ଲୋଭକରି ଅର୍ଜିଲୁ ଧନ ସମ୍ପଭି |
ଲୋଭଟି ସବୁ ନାଶ କରଇ ମନ, ଲୋଡ଼ିଲେ ନ ପାଇବୁ ଆଉ ଜୀବନ ||୨୮||

ବିଅର୍ଥ ରହିଅଛି ଦୁର୍ଲଭ ଦେହ, ବିଷୟା ବିଶେଷ ଆଉ ନବଳା ସ୍ନେହ |
ବୁଢ଼ିଯିବଟି ମୂଳ ଲାଭ ସରିବା, ବେଳହୁଁ ଆଶ୍ରେକରି ଭଜ ମାଧବ ||୨୯||

ଶ୍ରୀକୃଷ୍ଣ ପାଦପତ୍ରେ ଦିଅତୁ ମନ, ସରମେ ନ ପାଇବୁ ଆଉ ଜୀବନ |
ଶ୍ରୀକୃଷ୍ଣ ନାମାଗରଟି କର ଭଜନ, ଶ୍ରୀକୃଷ୍ଣ ପାଦପତ୍ରେ କର ତୁ ଧ୍ୟାନ ||୩୦||

ସନ୍ତୋଷ ଟିଭେ ତୁହି ହରିଙ୍କି ଭଜ, ସଂସାରେ ପଡି ଆଉ ନପାଅ ଲାଜ |
ସବୁଟି ମିଛ ହରି ନାମଟି ସତ, ଶ୍ରୀକୃଷ୍ଣ ପାଦପଦ୍ମେ ଦିଅତୁ ଚିତ୍ତ ||୩୧||

ସତ୍ୟ ମଣୁଛୁ ତୁହି ଭବ ସାଗର, ସରିଯାଉଛି ପରମାୟୁ ତୋହର |
ସନ୍ତୋଷ ହୋଇ ଦୃଢ଼େ ଭଜ ଶ୍ରୀହରି, ଶୋକ ସାଗରୁ ଯେବେ ହୋଇ ବୁ ପାରି ||୩୨||

ହୁଡ଼ିଲେ ଯେତେ ଜନ ହରି ନାମକୁ, ହୀନ ଗତିକୁ ଗଲେ ବୁଡ଼ି ତଳକୁ |
ହାରିଲେ ଦେହ ଆଉ ପାଇବୁ କାହିଁ, ହାଟ ବସାଇଥିବେ ତୋ ଦେହ ପାଇଁ ||୩୩||

କ୍ଷୟେ ଦୁର୍ଲଭ ଦେହ ହୁଏ ଆୟୁଷ, କ୍ଷୟ ନଯିବ ନାମ ହୃଦରେ ଘୋଷ |
ଛାର ଦେହକୁ ମନ ନଯା ବିଶ୍ବାସ, ଛାର ଦୁର୍ବୁଦ୍ଧି କହେ ଭକତ ଦାସ ||୩୪||

*****

ଭକ୍ତ ଚରଣ ଦାସ

ଭକ୍ତ ଚରଣ ଦାସ (୧୭୨୯-୧୮୧୩) ଅଷ୍ଟାଦଶ ଶତକର ଅନ୍ୟତମ କବି । ତାଙ୍କର ପ୍ରକୃତ ନାମ ବୈରାଗୀ ଚରଣ ପଟ୍ଟନାୟକ । ବୈଷ୍ଣବ ଧର୍ମରେ ଦୀକ୍ଷା ଗ୍ରହଣ କରି ସେ ନିଜକୁ ଭକ୍ତଚରଣ ଦାସ ନାମରେ ନାମିତ କରିଥିଲେ । ଗୋପ ମଙ୍ଗଳ, ମଥୁରା ମଙ୍ଗଳ, କଳାକଳେବର ଚଉତିଶା ଓ ମନବୋଧ ଚଉତିଶା ତାଙ୍କର ଶ୍ରେଷ୍ଠ ରଚନାମାନଙ୍କ ମଧ୍ୟରୁ ଅନ୍ୟତମ ।

You may also like...