କରଇ ଏବେ ପ୍ରଣତି

ଓଡିଶା ଦେଶରେ           କବି ଆମଦାନୀ
ଫସଲ ହେଈଛି ଭଲ
କବିତା ନାମରେ     କେତେ ଲୋକ ଏବେ
କରୁଛନ୍ତି ନିଜ ସୁସ୍କ ।

କାହାଠୁ ଲେଖାଇ         ଆଣି ନିଜ ନାମେ
ଛପାଇ ପାରିବ ଯେବେ
ଦିନ କେଇଟାରେ           ମହାକବି ସାଜି
ସୁନାମ କିଣିବ ତେବେ ।

ଭଣିତା କବିତା           କରୁଥିଲେ ଆଗେ
କେତେ ରଜା ଜମିଦାର
ଆଧୁନିକେ ଦିନେ       ସେ ବେପାରରେ
ଏବେ ବଢିଲେଣି ସାହୁକାର ।

ଖବର କାଗଜ        କପି କୋଲଜ ବେଳେ
ତିନି ସେମି ଲେଖା ଲୋଡ଼ା
ଛପା ହେବା ପରେ       ଦେଖି ତାକୁ କେତେ
ଚଢ଼ନ୍ତି ସାହିତ୍ୟ ଘୋଡା ।

କବିତାର ପ୍ରାଣ                 ଚୁଲିକି ଯାଉହେ
ଛପା କାରବାର ଥିଲେ
ଧରାଧରି କରି           ଦି ପଇସା ନିଜେ
ଖରଚ କରି ପାରିଲେ ।

ସାହିତ୍ୟ ସଭାରେ         ନାଗରା ବାଜିବ
ସହଯୋଗୀ ସମ୍ପାଦକ
ଫଟୋ ସହ ନିଜ         ଭାଷଣ ଛାପିବେ
ସାହିତ୍ୟର ଧର୍ମବକ ।

ଅବ ମୂଲ୍ୟାୟନ      ହୋଇଛି ଟଙ୍କାର
ଧୋବା ଧଉଳିଆ ବାଇ
ମଣିଷର ଗୁଣ     ଅବ ମୁଲ୍ୟାୟନେ
ଗଣତନ୍ତ୍ରେ ଚାଲେ ହେଇ ।

ବୁଦ୍ଧିର ଆଧାରେ       ବ୍ୟକ୍ତିତ୍ବ ପାଇଁ
ସ୍ୱେଚ୍ଛାରେ ଗରିବ ହେଵ
ବହୂର ଆଧାରେ     ବ୍ୟକ୍ତିତ୍ବ ପାଇଁ
ଜୀବନକୁ ବଳି ଦେଵ ।

ବେପାର ଆଧାରେ      ନିକିତ ତାଉଲ
ପାସଙ୍ଗରେ ଲୀଳାଖେଳା
ଲୋଭି ବଧେ ଏବେ    ଲାଲ ହୋଇଗଲେ
ଇତିହାସେ କାଳବେଳା ।

ସେବକ ଏବେରେ    କାମ ବିନା ମାଗେ
ମଜୁରୀ ଜବରଦସ୍ତି
ମାଡି ଚାଲି ଅଛି        ସଭ୍ୟତାକୁ ଏବେ
ସାଇଲକ ଧଳା ହସ୍ତୀ ।

ଦୂର ପର୍ବତ       ସୁନ୍ଦର ବୋଲି
ଶ୍ରେଣୀ ସଂଘର୍ଷ ଗାଈ
ରକ୍ତ ରଞ୍ଜିତ      କଲୁ ଋଷି ଦେଶ
ଏବେ ହେବୁ ଚେତା ପାଇ ।

ବ୍ୟକ୍ତି ସହଯୋଗ        ସନାତନ ଦେବୀ
ସମାଜର ଚିରରୀତି
ତାଙ୍କ ଶରଣରେ     ସମୂହ ମେଢ଼ରେ
କରଇ ମୁଁ ଏବେ ପ୍ରଣତି ।

 

ଶ୍ରୀ ରବିନାରାୟଣ ମହାପାତ୍ର

ସାମାଜିକ ପରିବର୍ତନରେ ଓଡ଼ିଆ ଭାଷାର ଗୁରୁତ୍ୱକୁ ଦେଖି ୧୯୬୦ ମସିହାରେ ଶ୍ରୀ ରବିନାରାୟଣ ମହାପାତ୍ର (୧୯୩୫ – ୨୦୧୨) ସାହିତ୍ୟ ସଂସଦ ସ୍ଥାପନା କରିଥିଲେ ।

You may also like...