ତୁ ପରା ବୋଲାଉ ଉତ୍କଳ ସନ୍ତାନ

ତୁ ପରା ବୋଲାଉ ଉତ୍କଳ ସନ୍ତାନ
କାହିଁ ପାଇଁ ଏଡ଼େ ଭୀରୁ !
ତୋହର ଜନନୀ ରୋଦନ କରିଲେ
କହିବାକୁ କିମ୍ପା ଡରୁ ?
ତୋ ପୁର୍ବ ପୁରୁଷେ ବୀର ପଣିଆରେ
ଲଭିଥିଲେ କେତେ ଖ୍ୟାତି
ହାକିମ ନିକଟେ ଦୁଃଖ କହିବାକୁ
କିମ୍ପା ଥରେ ତୋର ଛାତି ?

ତୋ ପୁର୍ବ ପୁରୁଷେ ଜୟ କରିଥିଲେ
ଗଙ୍ଗାଠାରୁ ଗୋଦାବରୀ
ତାଙ୍କରି ଔରସେ ଜାତ ହୋଇ ତୁହି
କେଉଁ ଗୁଣେ ତାଙ୍କୁ ସରି ?

ତୁ ମନେ ଭାବୁଛୁ ତୋଷାମଦ କରି
ବଢ଼ାଇବୁ ଜାତି ମାନ,
ତୋଷାମଦିଆର କୁକୁର ପ୍ରକୃତି
ଅଇଁଠା ପତରେ ଧ୍ୟାନ ।

ଜାତିର ଉନ୍ନତି ହେବକିରେ ଭାଇ
ସ୍ଵାର୍ଥକୁ ଜଗତ ମଣି ?
ଗୋଦର ଗୋଡରେ ମାଉଁସ ଲାଗିଲେ
ଦେହର କି ଶୁଭ ଗଣି ?

ଜାତିର ଉନ୍ନତି ସେ କାହିଁ କରିବ
ସ୍ଵାର୍ଥେ ଯାର ବ୍ୟସ୍ତ ମନ,
ଶାଗୁଣା ବିଲୁଆ ଚିକିତ୍ସକ ହେଲେ
ଶବ କି ପାଇବା ପ୍ରାଣ ?

ଉତ୍କଳ ଗୌରବ ମଧୁସୂଦନ ଦାସ

ମଧୁସୂଦନ ଦାସ (୧୮୪୮- ୧୯୩୪) ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ତାଙ୍କ ଲିଖିତ ଉତ୍କଳ ସନ୍ତାନ, ଜାତି ଇତିହାସ ଆଦି ବହୁଳଭାବେ ପାଠକ ମାନଙ୍କ ଦ୍ୱାରା ଆଦୃତ ହେଇ ଥିଲା ।

You may also like...