ଏକ ଅସରା ବର୍ଷାର ଅବ୍ୟବହିତ ପରେ ନରାଜ ଦର୍ଶନ

ସତ୍ୟ ଶାନ୍ତି ସୁଖ ସଦା ମାନବ-ଜୀବନ ଖୋଜଇ ବ୍ୟାକୁଳେ ବ୍ୟସ୍ତ ସଂସାର ଗହଳେ,
ମିଳିଲେ ଏପରି ସ୍ଥାନ କେବେ ଭାଗ୍ୟଫଳେ ଅପସରେ କ୍ଷଣେ ଭବ ଦାରୁଣ କଷଣ ।

ସଦ୍ୟସ୍ନାତ ଏହୁ ଛବି ଶୁଦ୍ଧ ଘନଜଳେ ଅସ୍ତମିତ ରବି କରେ ଦ୍ୱିଗୁଣ ଉଲ୍ଲାସେ,
ବିରାଜେ ଶ୍ୟାମଳ ଶସ୍ୟ କ୍ଷେତ୍ର ଚଉପାଶେ, ବିଶଦେ ସକଳ ନଦୀ ବକ୍ଷେ ପ୍ରତିଫଳେ ।

ଶଇଳ ଶିଖରେ ଶୋଭେ ଶୁଭ୍ର ଶିବାଳୟ, ସମଗ୍ର ଶ୍ୟାମଳ ଦୃଶ୍ୟ ମଧ୍ୟେ କି ରୁଚିର!
ନୀଳ ମେଘେ ଯଥା ପୂର୍ଣ୍ଣ ଚନ୍ଦ୍ରମା ଉଦୟ, ଶିବ ସଙ୍ଗବଶେ ଶାନ୍ତି ଅଧିକ ଗମ୍ଭୀର ।

ଦେଖ ଦେଖ ବନ୍ଧୁଗଣ ପୂରାଇ ନୟନ,
ଏ ଯୋଗ ଜୀବନେ ଘଟେ ଅତି ଅଳ୍ପକ୍ଷଣ ।

ଉତ୍କଳମଣି ଗୋପବନ୍ଧୁ ଦାସ

ଉତ୍କଳମଣି ଗୋପବନ୍ଧୁ ଦାସ (୧୮୭୭-୧୯୨୮) ଓଡ଼ିଆଙ୍କ ନିକଟରେ ଏକ ପରିଚିତ ନାମ । ଗୋପବନ୍ଧୁ ଓଡିଶାର ସାହିତ୍ୟ, ସାମ୍ବାଦିକତା, ରାଜନୀତି, ଶିକ୍ଷାବ୍ୟବସ୍ଥା, ଗଣଆନ୍ଦୋଳନ ସହିତ ସାମଗ୍ରୀକଭାବେ ଜଡିତ ଥିଲେ । ଗୋପବନ୍ଧୁଙ୍କ ଦ୍ବାରା ପ୍ରତିଷ୍ଠିତ ଦୈନିକ ସମ୍ବାଦପତ୍ର "ସମାଜ" ଓଡ଼ିଆ ସମ୍ବାଦପତ୍ର ଜଗତରେ ଏକ ପରିଚିତ ନାମ । ତାଙ୍କ ଲେଖାଗୁଡ଼ିକ ମଧ୍ୟରେ ବନ୍ଦୀର ଆତ୍ମକଥା, କାରା କବିତା ଓ ଅବକାଶ ଚିନ୍ତା ଆଦି ସଙ୍କଳନ ଓଡ଼ିଆ ପାଠକମାନଙ୍କ ନିକଟରେ ବେଶ୍ ପରିଚିତ ଏବଂ ପଠିତ ପୁସ୍ତକ ଅଟେ ।

You may also like...