ନୀରବ

ନୀରବେ ପ୍ରସରେ କ୍ଷଣେ ଦିବ୍ୟ ଜ୍ୟୋତିଧାରା,
ନୀରବେ ଆକାଶେ ଉଦେ ରବିଶଶୀତାରା,
ନୀରବେ ବଢ଼ଇ ତରୁଲତାମହୀଧର
ନୀରବ ନିଖିଳ ବିଶ୍ବ ନିଗୂଢ଼ ମନ୍ତର

 

ମହାକାଳପାରାବାର ଅନନ୍ତ ଗରଭେ
ମିଶଇ ସମୟସ୍ରୋତ ସତତ ନୀରବେ,
ନୀରବେ ଜଗତ କରେ ନିଜ କକ୍ଷେ ଗତି
ନୀରବ ନିଖିଳ ବିଶ୍ବ ନିଗୂଢ ଶକତି

 

ନୀରବେ ପ୍ରେମିକ ନେତ୍ରେ ଅଶ୍ରୁ ଢଳ ଢଳ,
ନୀରବେ ସରସୀବକ୍ଷେ ହସେ ଶତଦଳ,
ନୀରବେ ନିରାଶ ହୃଦେ ବହେ ଦୀର୍ଘଶ୍ବାସ,
ସୁଖେ ଦୁଃଖ ପରାଣର ନୀରବ ଆଶ୍ବାସ

 

ତେବେ କିପାଁ ଚଉଦିଗେ ଚହଳ ଚିତ୍କାର,
କିପାଁଇ ମାବନ କରେ ଏତେ ଅପଚାର?
ଚାହିଁ ଅନ୍ତରୀକ୍ଷ, ଚାହଁ ଆପଣା ଅନ୍ତର,
ଶୁଣ ଶିଖ ସାଧ ସଦା ନୀରବ ମନ୍ତର

ଉତ୍କଳମଣି ଗୋପବନ୍ଧୁ ଦାସ

ଉତ୍କଳମଣି ଗୋପବନ୍ଧୁ ଦାସ (୧୮୭୭-୧୯୨୮) ଓଡ଼ିଆଙ୍କ ନିକଟରେ ଏକ ପରିଚିତ ନାମ । ଗୋପବନ୍ଧୁ ଓଡିଶାର ସାହିତ୍ୟ, ସାମ୍ବାଦିକତା, ରାଜନୀତି, ଶିକ୍ଷାବ୍ୟବସ୍ଥା, ଗଣଆନ୍ଦୋଳନ ସହିତ ସାମଗ୍ରୀକଭାବେ ଜଡିତ ଥିଲେ । ଗୋପବନ୍ଧୁଙ୍କ ଦ୍ବାରା ପ୍ରତିଷ୍ଠିତ ଦୈନିକ ସମ୍ବାଦପତ୍ର "ସମାଜ" ଓଡ଼ିଆ ସମ୍ବାଦପତ୍ର ଜଗତରେ ଏକ ପରିଚିତ ନାମ । ତାଙ୍କ ଲେଖାଗୁଡ଼ିକ ମଧ୍ୟରେ ବନ୍ଦୀର ଆତ୍ମକଥା, କାରା କବିତା ଓ ଅବକାଶ ଚିନ୍ତା ଆଦି ସଙ୍କଳନ ଓଡ଼ିଆ ପାଠକମାନଙ୍କ ନିକଟରେ ବେଶ୍ ପରିଚିତ ଏବଂ ପଠିତ ପୁସ୍ତକ ଅଟେ ।

You may also like...