ଭାଗ୍ୟ ଥିଲେ ଧର ଧର ପଦ୍ମପାଦ ହେ

ଭାଗ୍ୟ ଥିଲେ ଧର ଧର ପଦ୍ମପାଦ ହେ
ଭାଗ୍ୟ ଥିଲେ ଧର ଧର
ଖଣ୍ଡିବ କାଳ ବିପତ୍ତି ପରମାଦ ହେ
ଭାଗ୍ୟ ଥିଲେ ଧର ଧର

କରିଅଛ ଯେବେ ଦୋଷ ଜଣାଅ ଶ୍ରୀଗୁରୁ ପାଶ
ଛେଦି ହୋଇବ ଉଶ୍ୱାସ ଅପରାଧ ହେ
ଭାଗ୍ୟ ଥିଲେ ଧର ଧର

ପାପ ପୋଡିବ ବ୍ରହ୍ମରେ ନାମ ଅଲେଖ ଧର୍ମରେ
ଭଜ ସାତ୍ତ୍ୱିକ କର୍ମରେ ନିରିବେଦ ହେ
ଭାଗ୍ୟ ଥିଲେ ଧର ଧର

ସତ୍ୟ ଅଟେ ଦୁଆର ମନେ ଅପ୍ରତେ ନକର
ପଶ୍ଚାତେ ହେବ ଅସାର ପରମାଦ ହେ
ଭାଗ୍ୟ ଥିଲେ ଧର ଧର

ଓମ୍କାର ପରମ ପଦୁଁ ପିଅ ମକରନ୍ଦ ମଧୁ
କହେ ଭୀମ ଅରକ୍ଷିତ ଅତି ସ୍ୱାଦ ହେ
ଭାଗ୍ୟ ଥିଲେ ଧର ଧର ପଦ୍ମପାଦ ହେ
ଭାଗ୍ୟ ଥିଲେ ଧର ଧର

ସନ୍ଥକବି ଭୀମ ଭୋଇ

ଭୀମ ଭୋଇ (୧୮୫୦-୧୮୯୫) ଜଣେ ଓଡ଼ିଆ କବି ଓ ମହିମା ଧର୍ମର ପ୍ରଚାରକ ଥିଲେ ।[୧] ସେ ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲଠାରେ ଜନ୍ମ ଗ୍ରହଣ କରିଥିଲେ ।[୨][୩][୧] ଭୀମ ଭୋଇ ଜଣେ ସେ ସନ୍ଥ-କବି ଭାବରେ ପରିଚିତ ଥିଲେ । ତାଙ୍କର ରଚନା ସବୁରେ ମାନବ ଧର୍ମ, ଦର୍ଶନ ଓ ଜୀବନ ଓ କାମ କରିବାର ଧାରାକୁ ଖୁବ ସରଳ ଓ ସାବଲୀଳ ଭାବରେ ବର୍ଣ୍ଣନା କରାଯାଇଅଛି । ବାଲ୍ୟକାଳରୁ ଅନାଥ ଥିବା ସହିତ ଅନ୍ଧ ମଧ୍ୟ ଥିଲେ ଏବଂ ବଡ଼ ଦୁଃଖ ଓ କଷ୍ଟରେ କାଳାତିପାତ କରୁଥିଲେ । ଏହା ସତ୍ତ୍ବେ ମହିମା ଧର୍ମର ପ୍ରଚାର ଓ ପ୍ରସାର ପାଇଁ ତାଙ୍କ ଦ୍ବାରା ରଚିତ ସ୍ତୁତି ଚିନ୍ତାମଣି, ନିର୍ବେଦ ସାଧନା, ଆଦି ଅନ୍ତଗୀତା, ଅନାଦି ସଂହିତା, ଭୀମ ଭୋଇ ମାଳିକା ଆଦି ଗ୍ରନ୍ଥ ଆଜି ମଧ୍ୟ ବେଶ୍‌ ଆଦୃତ ଲାଭ କରିଛି । ତାଙ୍କ ସମୟରେ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବାରେ ଭୀମ ଭୋଇଙ୍କ ରଚନାଗୁଡ଼ିକର ଅବଦାନ ଅନସ୍ବୀକାର୍ଯ୍ୟ ।

You may also like...