ଅଭିଯୋଗ

ସବୁଦେଇ ଶୂନ୍ୟ କରିଅଛ ମୋତେ
ପୂରାଅ ସକଳ ଦେଇଣ
ନେଲ ମୋତେ ହରି
ନେଲ ମୋତେ ଧରି
ଜୀବନେ ବଞ୍ଚାଇ ମାରିଣ
ନେଲ ଗୁଣ, ଜ୍ଞାନ
ନେଲ କର୍ମ, ଧ୍ୟାନ
ଧନ, ମାନ, ବିଦ୍ୟାଭୂଷଣ
ଦୁଃଖ ହେଲା ମୋର
ଚିର ସହଚର
ନିତି ଭୋଗିଲି ମରଣ

ଯାହା କରିବାକୁ
ଚାହେଁ ପରାଣ
ଯାହା କହିବାକୁ
କରେଁ ମୁଁ ବାରଣ
କଲି ତାହା ପ୍ରଭୁ
କହିଲି ତାହା ମୁଁ
ନିନ୍ଦାକୁ କଲିଟି ଭୂଷଣ
କହ କହ ପ୍ରଭୁ
କହ କହ ମୋତେ ଆଜି
କିମ୍ପା ଦିଅ ଏତେ କଷଣ
ଝରେ କିମ୍ପା ମୋର
ଏତେ ଅଶ୍ରୁଝର
କହ କେଉଁ କାର୍ଯ୍ୟକାରଣ

କୁନ୍ତଳା କୁମାରୀ ସାବତ

ଉତ୍କଳଭାରତୀ କୁନ୍ତଳା କୁମାରୀ ସାବତ(୧୯୦୦-୧୯୩୮) ନାରୀ କବି ଭାବରେ ଓଡ଼ିଶା ସାହିତ୍ୟରେ ଏକ ସୁପରିଚିତ ନାମ । ଓଡ଼ିଶାରେ ସ୍ଵାଧୀନତା କାଳରେ ଯେଉଁ କେତେଜଣ ନାରୀ କବି ଓ ଲେଖିକାଙ୍କର ଆବିର୍ଭାବ ହୋଇଥିଲା ସେମାନଙ୍କ ଭିତରୁ କୁନ୍ତଳା କୁମାରୀ ଅନ୍ୟତମ । ଏକା ଧାରରେ ସେ ଡାକ୍ତର, ଲେଖିକା, କବୟିତ୍ରୀ, ଜାତୀୟ ଆନ୍ଦୋଳନର ପୁରୋଧା ଓ ସମାଜସେବୀ ଥିଲେ । ଓଡ଼ିଶାର ସେ ପ୍ରଥମ ମହିଳା ଡାକ୍ତର, ଲେଖିକା, ଔପନ୍ୟାସିକା, କବୟିତ୍ରୀ ଓ ସମ୍ପାଦିକା ଥିଲେ । ଓଡ଼ିଆ ଭାଷା ଛଡ଼ା ସେ ବଙ୍ଗଳା, ଇଂରାଜୀ ଓ ବର୍ମାର ଭାଷା ଶିଖିଥିଲେ । ତାଙ୍କର କିଛି ଉଲ୍ଲେଖନୀୟ ସୃଷ୍ଟି ହେଲା: ଅଞ୍ଜଳି ଉଚ୍ଛ୍ଵାସ ଅର୍ଚନା ସ୍ଫୁଲିଙ୍ଗ ଗଡଜାତ କୃଷକ ରଘୁ ଅରଖିତ ପରଶମଣି ଚିତ୍ରପଟ

You may also like...