ବର୍ଷା

ଏବେ ଗ୍ରୀଷମ କାଳ ଗଲା । ବରଷା ଋତୁ ପ୍ରକାଶିଲା ।
ସକଳ ଋତୁଙ୍କର ସାର । ଶସ୍ୟ ସମ୍ପଦ ମଞ୍ଚ ପୁର ।
ମେଘେ ମିଳିଲେ ଶୂନ୍ୟପଥେ । ବିଜୁଳି ଶବଦ ସଙ୍ଗତେ ।
ଭୂମି, ସାଗର, ଶୂନ୍ୟେ ବ୍ୟାପି । ନୀଳ ଜୀମୂତ ବିଶ୍ବରୂପୀ ।
ଯେମନ୍ତେ ନିବିଡ଼ ଆକାଶ । ଭୂମିର ରସ ଅଷ୍ଟମାସ ।
ଆଦିତ୍ୟ କରିଥିଲା ଗ୍ରାସ। ସେ ତାପ କଲା ମେଘ ନାଶ ।
ମହୀମଣ୍ଡଳ ଦୁଃଖ ଚାହିଁ । ଜଳ ଛାଡ଼ିଲା ତୋଷ ହୋଇ ।
ଘୋର ଶବଦେ ମେଘମାଳ ।  ଗର୍ଜିଣ ବରଷନ୍ତି ଜଳ ।
ପ୍ରାଣୀ ଜୀବନ ଜଳ ରାଶି ।  କରୁଣା ଚିତ୍ତରେ ବରଷି ।
ପୃଥିବୀ ରବିତପ୍ତ ଗ୍ରାସେ ।  ତାପିତ ଥିଲା ଅଷ୍ଟମାସେ ।
ଜଳ ପାଇଲେ ତୋଷ ଚିତ୍ତେ ।  ତପସ୍ବୀ ଜନଙ୍କର ମତେ ।
ତପସ୍ୟା ଫଳ ଯେହ୍ନେ ପାଇ । ଭୁଞ୍ଜନ୍ତି ଅତି ସୁଖୀ ହୋଇ।
ଖଦ୍ୟୋତ କୀଟ ନିଶାମୁଖେ । ଜଗତ ଆବୋରିଲେ ସୁଖେ ।
ପାଷାଣ୍ଡେ ଯେହ୍ନେ କଳିଯୁଗେ । ବେଦ ନିନ୍ଦନ୍ତି ଯୋଗ ମାର୍ଗେ ।
ମଣ୍ଡୁକେ ମେଘ ନାଦ ଶୁଣି । ଗର୍ଜନ୍ତି ଆବୋରିଣ ପାଣି ।
ଅଳପ ନଦୀଏ ପୁରିଲେ । ଲହରୀ ମତେ ଉଛୁଳିଲେ ।
ନାନା ପ୍ରକାରେ ଶସ୍ୟ ରାଶି । ଏଣେ ପୁରିତ ମହୀ ଦିଶି ।
ଛତୁ ଯେ ଛତ୍ର ପ୍ରାୟ ହୋଇ । ରାଜାର ପ୍ରାୟେ ଦିଶେ ମହୀ ।
ଶସ୍ୟ ସମ୍ପଦ କ୍ଷେତ୍ର ମତେ । ଦେଖି ସାନନ୍ଦ ପ୍ରାଣୀ ଚିତ୍ତେ ।
ଅଶେଷ ଜୀବ ଜଳ ସ୍ଥଳେ । ଜଳ ଭକ୍ଷିଲେ କୁତୂହଳେ ।
ଦିନକୁ ଦିନ ପୁଷ୍ଟ ହୋଇ । ହରି ସେବକ ପ୍ରାୟ ଦେହୀ ।
ସମୁଦ୍ର ନଦୀଙ୍କର ମେଳ ଲୋଡ଼ି ପାଇଲେ ପୂର୍ଣ୍ଣ ଜଳ ।
ଅଳପ ଯୋଗୀଙ୍କର ଚିତ୍ତ । ଯେହ୍ନେ ଚଞ୍ଚଳ ଗୁଣେ ଗ୍ରସ୍ତ ।
ପର୍ବତେ ଜଳଧାରଚୟ । ପଡ଼ନ୍ତେ ନ କରନ୍ତି ଭୟ ।
କୃଷ୍ଣ ଆଶ୍ରିତ ପ୍ରାଣୀ ଯେହ୍ନେ । ଦୁଃଖିତ ନୁହନ୍ତି ବ୍ୟସନେ ।
ପଥ ହୋଇଲା ତୃଣମୟ । ବାଟର ନ ମିଳିଲା ଥୟ ।
ବ୍ରାହ୍ମଣ ବେଦ ପାଶୋରିଲେ । ଯେମନ୍ତ ହ୍ବନ୍ତି ପଚାରିଲେ ।
ଜଗତ ବନ୍ଧୁ ମେଘମାଳେ । ବିଜୁଳି ନ ରହେ ନିଶ୍ଚଳେ ।
ଗୁଣୀ ପୁରୁଷଙ୍କର ତୁଲେ । ବିଟପୀ ମନ ଯେହ୍ନେ ଟଳେ ।
ଶବଦ ତୁଲେ ଇନ୍ଦ୍ର ତାପ । ଗଗନେ ଶ୍ବେତ ସାତ ରୂପ ।
ଗର୍ଜନ୍ତି ଗୁଣେ ହୋଇ ଯୁତେ । ନିର୍ଗୁଣ ପୁରୁଷ ଯେମନ୍ତେ ।
ଚନ୍ଦ୍ର ନ ଦିଶେ ମେଘାଛନ୍ନେ । ମିଥ୍ୟା ବଚନେ ସତ୍ୟ ଯେହ୍ନେ ।
ମୟୁରେ ଗିରି ପୃଷ୍ଠେ ଥାଇ । ନୃତ୍ୟ କରନ୍ତି ମେଘ ଚାହିଁ ।
ଅତିଥି ଦେଖି ବିଦ୍ବଜ୍ଜନେ । ଯେସନେ ତୋଷ ହ୍ବନ୍ତି ମନେ ।
ବୃକ୍ଷଙ୍କ ମୂଳେ ଜଳରାଶି । ଫଳ ପଲ୍ଲବ ଯେ ପ୍ରଶଂସି ।
ତପର ଅନ୍ତେ ଫଳ ପାଇ । ତପସ୍ବୀ ଯେହ୍ନେ ତୁଷ୍ଟ ହୋଇ ।
ବରଷା ଦେଖି ନର ନାରୀ । ଯେସନେ ଗୃହ ବାସ କରି ।
ଜଳ ପ୍ରବାହେ ବନ୍ଧ ଭାଙ୍ଗେ । ଯେହ୍ନେ ପାଷାଣ୍ଡେ ବେଦମାର୍ଗେ ।
ମେଘ ପବନ ଯୋଗେ ବଳି । ଅମୃତ ପ୍ରାୟ ଜଳ ଛାଡ଼ି ।
ବିପ୍ରଙ୍କ ବୋଲେ ମହୀପାଳେ । ଯେହ୍ନେ ଦିଅନ୍ତି ଦାନ କାଳେ ।
ବରଷା ରସେ ବନ ଭୂଇଁ । ଖର୍ଜୁର ଜମ୍ବୁମୟ ହୋଇ ।
ଗୋରୁ ଗୋପାଳ ସଙ୍ଗେ । ଘେନି ବନେ ବିଜୟ ଅନ୍ତର୍ଯ୍ୟାମୀ ।
ଗାଈଏ ସ୍ତନଭର ହୋଇ । କର୍ଦମେ ନ ପାରନ୍ତି ଯାଇ ।
କୃଷ୍ଣର ଡାକ ଶୁଣି କର୍ଣ୍ଣେ । ନିକଟେ ମିଳିଲେ ବହନେ ।
ବନରେ ଯେତେ ଜନ୍ତୁ ଥିଲେ । ଗିରି କାନନ ଆଶ୍ରେ କଲେ ।
ସକଳ ବୃକ୍ଷେ ମଧୁଦ୍ରବ୍ୟ । ବରଷା ଋତୁର ସ୍ବଭାବ ।
ଗାଈ ଚରାନ୍ତି ବୃନ୍ଦାବନ । ଭକ୍ଷନ୍ତି କନ୍ଦମୂଳମାନ ।
ବସନ୍ତି ବୃକ୍ଷଙ୍କର ତଳେ । ଦିନ ହରନ୍ତି ବୃଷ୍ଟିବେଳେ ।
ଦଧି ଅନ୍ନହିଁ ଘରୁ ଆଣି।  ଜଳ ନିକଟେ ଚକ୍ରପାଣି ।
ଗୋପାଳ ମେଳେ ବେନି ଭାଇ । ଭୁଞ୍ଜନ୍ତି ଶିଳାପରେ ଥୋଇ ।
କୋମଳ ଘାସେ ପଶୁମାନେ । ଶୁଅନ୍ତି ନିଦ୍ରିତ ଲୋଚନେ ।

ଏହି କବିତାଟି ‘ଶ୍ରୀମଦ୍ ଭାଗବତ’ ଗ୍ରନ୍ଥ, ଦଶମ ସ୍କନ୍ଧର ଏକାଦଶ ଅଧ୍ୟାୟରୁ ଊଦ୍ଧୃତ ହୋଇଛି 

You may also like...