ମାତୃଭୂମି

ଯେ କାଳେ ବାଳକ ବୁଲି ଯାଇପାରେ
ପଡ଼ୋଶିମାନଙ୍କ ଘର,
ସେ କାଳେ ଜାଣଇ ଅନ୍ୟ ଘରସବୁ
ତା’ ସଙ୍ଗୀ ବାଳକଙ୍କର ।
ପରେ ଯେତେବେଳେ ଆପଣା ପଡ଼ାରୁ
ଅନ୍ୟ ପଡ଼ା ବୁଲିଯାଏ,
ସେହି ସମୟରେ ପଡ଼ୋଶୀ ପଡ଼ାକୁ
ଆପଣାର ମଣିଥାଏ ।
ଅନ୍ୟ ଗ୍ରାମେ ପୁଣି ଯାଏ ଯେବେ ନିଜ
ଗ୍ରାମରୁ ହୋଇ ବାହାର,
ସେ କାଳେ ଜାଣଇ ନିଜ ଘର ଯହିଁ
ସେ ଗ୍ରାମ ଅଟେ ତାହାର ।
ଆପଣା ଗ୍ରାମର ନଦୀ ପୁଷ୍କରଣୀ
ବଗିଚା ଆଦି ସକଳ,
ଆପଣାର ବୋଲି କହେ; ପୁଣି ସେହି-
ସବୁକୁ ମଣଇ ଭଲ ।
ବଡ଼ ହୋଇ ଯେବେ କରି ଯାଇପାରେ
ଅନ୍ୟ ରାଜ୍ୟେ ବିଚ଼ରଣ,
ବଖାଣଇ ତହିଁ ନିଜ ରାଜା, ରାଜ୍ୟ-
ଲୋକଙ୍କର ଶ୍ରେଷ୍ଠପଣ ।
ହାତୀ ଘୋଡ଼ାଠରୁ ଛେଳି ମେଣ୍ଢାଯାଏ
ସବୁ ତା ରାଜ୍ୟର ଭଲ,
ସକଳ ସୁଖର ଆକାର ତାହାରି
ରାଜ୍ୟଟି ଅଟେ କେବଳ ।
ତହୁଁ ବଡ଼ ହୋଇ ଯାଇଥାଏ ଯେବେ
କେହି କେବେ ଦେଶାନ୍ତର,
ସ୍ବର୍ଗରୁ ଅଧିକ ବୋଲି ବୁଝେ ତେବେ
ଯେଉଁ ଦେଶେ ତାର ଘର ।
ଜ୍ଞାନବଳେ ଯେବେ ଜାଣେ ସମସ୍ତଙ୍କ
ଜନକ ଜଗତପତି,
ସହୋଦର ଜ୍ଞାନ କରେ ଅବନୀର
ମାନବ-ସମାଜ ପ୍ରତି ।
ତେବେ ସେ ଜାଣଇ ଯେ କରଇ ଯେତେ
ଲୋକଙ୍କର ଉପକାର,
ବିଶ୍ବପତିଙ୍କର ବିଶ୍ବଗୃହେ ଅଟେ
ସେ ତେତେ ଯୋଗ୍ୟେ କୁମାର ।
ଏହିରୂପେ ଗ୍ରାମ- କଥା, ରାଜ୍ୟକଥା,
ଦେଶକଥା, ବିଶ୍ବକଥା
ମାନବ-ଜୀବନେ ପ୍ରତୀତ ହେବାର
ଦର୍ଶିତ ହୁଏ ସର୍ବଥା ।
ମାତୃଭୂମି ମାତୃ- ଭାଷାରେ ମମତା
ଯା ହୃଦେ ଜନମି ନାହିଁ
ତାକୁ ଯେବେ ଜ୍ଞାନି- ଗଣରେ ଗଣିବା
ଅଜ୍ଞାନ ରହିବେ କାହିଁ ?

ସ୍ଵଭାବ କବି ଗଙ୍ଗାଧର ମେହେର

ଗଙ୍ଗାଧର ମେହେର (୧୮୬୨ - ୧୯୨୪) ଜଣେ ଅସାଧାରଣ ପ୍ରତିଭାବାନ କବି ଥିଲେ । ଗୌରବ-ମଣ୍ଡିତ ପ୍ରାଚୀନ ସାହିତ୍ୟର ପରମ୍ପରା ସଂରକ୍ଷଣ ସହ ଉନ୍ନତ ଭାଷା ଓ ଭାବର ଉପାଦାନରେ ନବୀନ ସାହିତ୍ୟର ସୃଷ୍ଟି ମେହେର-ସାହିତ୍ୟର ବୈଷିଷ୍ଟ୍ୟ ଅଟେ । ଅର୍ଘ୍ୟଥାଳି କବିତାମାଳାର ଭକ୍ତି, ଅମୃତମୟ ଓ ମଧୁମୟ କବିତା ଓଡ଼ିଶାର ପୁରପଲ୍ଲୀରେ ଅତି ପରିଚିତ କବିତାମାନଙ୍କ ଭିତରୁ ଅନ୍ୟତମ ତାଙ୍କର କିଛି ଜଣାଶୁଣା ରଚନା ହେଲା: • ଇନ୍ଦୁମତୀ, • ଉତ୍କଳ ଲକ୍ଷ୍ମୀ • କୀଚକ ବଧ • ତପସ୍ଵିନୀ • ମହିମା • ଅହଲ୍ୟାସ୍ତବ • ଅର୍ଘ୍ୟଥାଳି • ଭକ୍ତି • ଅମୃତମୟ • ମଧୁମୟ • ମାତୃଭୂମି • ଅର୍ପଣ • ଆଶ୍ରମେ ପ୍ରଭାତ • ଉତ୍କଳ-ଲକ୍ଷ୍ମୀ

You may also like...