ରେଳ ଉପରେ ଚିଲିକା ଦର୍ଶନ

ରହ ରହ କ୍ଷଣେ ବାଷ୍ପୀୟଶକଟ, ଦେଖିବି ଚିଲିକା ଚାରୁ ଚିତ୍ରପଟ ।
ଚିତ୍ର ମଣେ ଯେଣୁ ନାହିଁ ଅନୁଭବ, ବାସ୍ତବ ବିଶ୍ବେ କି ଏ ଛବି ସମ୍ଭବ ?

ନୀଳ ବୀଚିମାଳା ଧୀରେ ଧୀରେ ଯାଏ, ଲାଗଇ ସ୍ବପନେ ଦେଖିଲା ପରାଏ ।
ସନ୍ତରନ୍ତି ବକ୍ଷେ ପକ୍ଷୀ ଦଳ ଦଳ, ଓଲଟିଣ ତଳେ ଦିଶନ୍ତି ଯୁଗଳ ।

ଘୋର ନାଦେ ଯହୁଁ ଉଠିଲେ ସେ ନଭେ, ଉଠେ ଶତ ଖଗ ଚିଲିକା-ଗରଭେ ।
ସତ୍ୟ ବୋଲି ମନେ ନ ହେଉ ପ୍ରତୀତ, ପଲକେ ସେ ଦୃଶ୍ୟ ହୁଏ ତିରୋହିତ ।

ଦୂରେ ଘେନିଯାଏ ନିଦାରୁଣ ଯାନ, ଆସେ ପୁଣି ତରୁ ଶିଳା ବ୍ୟବଧାନ ।
ନିମିଷେ ଲୁଚାଏ ନିମିଷେ ଦେଖାଏ, ସ୍ବପ୍ନଲଭ୍ୟ ପ୍ରିୟ ପ୍ରତିମା ପରାଏ ।

କାହିଁ ଦିଶେ ନୀଳ କାହିଁ ସୁଶ୍ୟାମଳ, କାହିଁ ବା ଧୂସର କାହିଁବା ଧବଳ ।
ନାନା ସ୍ଥାନେ ନାନା ରଙ୍ଗେ ଦୀର୍ଘକାୟା, ପ୍ରକାଶି ଚିଲିକା କରୁ କେତେ ମାୟା ।

ଦେବୀ ବୀଣାପାଣି ଶାଶ୍ବତ ସେବକ, କବି ରାଧାନାଥ ସୁଷମା-ଗ୍ରାହକ ,
ଭ୍ରମି ବହୁ ସ୍ଥାନ ବିଶାଳ ଭାରତେ, ବହୁ ନଦୀ ମରୁ କାନନ ପର୍ବତେ,
ଦେଖିଲେ ପ୍ରକୃତି ବିବିଧ ପ୍ରକାଶ, କିନ୍ତୁ ଶୋଭାଲୁବ୍ଧ ଶୁଦ୍ଧ ଅଭିଳାଷ ।

ସୁଖ-ଶାନ୍ତି-ପ୍ରୀତି କାହିଁ ଏକାଧାରେ, ନ ପାଇଲେ ଯଥା ମିଳେ ତୋହଠାରେ ।
ଉତ୍କଳର ତୁହି ସୌନ୍ଦର୍ଯ୍ୟର ଖଣି, ସାରସ୍ବତ ନେତ୍ରେ ବାଛି ତହୁଁ ମଣି ।

ସୁଦକ୍ଷ ବିନ୍ଧାଣି ରଚି ଯେଉଁ ହାର, ଅର୍ପିଲେ ଉତ୍କଳ ଭାରତୀ ଗଳାର ।
ଚିରଦିନ ତାହା ରାଜିବ ରୁଚିର, ତା ଦେଖି ଭାବୁକେ ଲୋଡ଼ିବେ ତୋ ତୀର ।

ମୁଁ ଅଧମ ମୋର ଭାବୁକତା ନାହିଁ, ତଥାପି ଏ ପ୍ରାଣ କେ ଜାଣେ କିପାଇଁ ।
ନିରନ୍ତର ଲୋଡ଼େ ସୌନ୍ଦର୍ଯ୍ୟ ବ୍ୟାକୁଳେ, ତେଣୁ ଭାବିଥିଲି ଆସି ତୋର କୂଳେ
ଦେଖିବି ତୋ ଶୋଭା ଦିନେ ନିକାଞ୍ଚନେ, କର୍ମ-ବନ୍ଧେ ଥିଲା ମନ କଥା ମନେ,
ଏତେକାଳ ଅନ୍ତେ ପଡ଼ିଥିଲା ଯୋଗ, ଆହା ସେ ସୁଯୋଗ ହେଲା କାହିଁ ଭୋଗ !

ରହିଣ ଜଞ୍ଜାଳ ବିଷମ ଜଗତେ, ସଂସାରୀ ସୋଦର ବାନ୍ଧବ ସଙ୍ଗତେ ।
ଇଚ୍ଛାମତେ କାହୁଁ ଚଳିବ ବା ଜନ ? ସମାଜେ ନିଜର ନୁହେଁ ନିଜ ମନ ।

ବସି କେତେଥର ନୀରବ ବିଜନେ,  ଦେଖିଛି ତୋ ରୂପ କଳ୍ପନା-ନୟନେ ।
ତୋ ନୀଳ ତରଙ୍ଗେ ଖେଳେ ନିରନ୍ତର, ଅନୁପମ ଦିବ୍ୟ ହିରଣ୍ମୟ କର ।

ଚାରୁ ଶକ୍ରଚାପ ତୋର ବକ୍ଷସ୍ଥଳେ, ନାଚେ ଶତ ଶତ ମୋ କଳ୍ପନା ବଳେ ।
କଳ୍ପନା ଚିତ୍ରିତ ତୋ ସୁନ୍ଦର ତନୁ, କାଳେ କାଳେ ଆଉ ନ ଯିବ ମୋ ମନୁ ।

ଆଜି ଲୋ ଚିଲିକା କଳ୍ପନା ପ୍ରଭାବେ, ପୂରଇ ମୋ ମନ ଆହା କେତେ ଭାବେ ।
ଅତୀତର ସୁଖ ସ୍ମୃତି ସମୁଚ୍ଚୟ, ହର୍ଷ-ଖେଦେ କରେ ଆକୁଳ ହୃଦୟ ।

ତୋ ମଧୁର ନାମେ ରହିଛି ଜଡ଼ିତ, ଗଉରବାନ୍ବିତ ଉତ୍କଳ-ଅତୀତ ।
କାହିଁ ଉତ୍କଳର ସେ ସୁକୃତରାଶି ? ଯାହାର ପ୍ରଭାବେ ପ୍ରଭୁ ବ୍ରହ୍ମରାଶି,
ନିଜେ ନିରଞ୍ଜନ ଜଗତ-ଈଶ୍ବର, ଧରିଣ ସୈନିକ ନର କଳେବର,
ଉତ୍କଳର ଯଶଃ ପ୍ରତିଷ୍ଠା ରକ୍ଷଣେ, ବିଜେ କଲେ ଘୋର ସମର-ପ୍ରାଙ୍ଗଣେ ।

କାହିଁ ସେ ସୌଭାଗ୍ୟ କାହିଁ ସେ ସୁକୃତ , ପବିତ୍ର ଉତ୍କଳ ଆଜି କି ବିକୃତ ?
ଆର୍ଯ୍ୟ ଧର୍ମକ୍ଷେତ୍ର ପୂତ ନୀଳାଚଳ, ହରାଇଛି ସବୁ କର୍ମ-ଧର୍ମ-ବଳ ।

ନାହିଁ ମୁଖେ ତେଣୁ ପୂର୍ବ ଧର୍ମକାନ୍ତି,  ହୃଦୟେ ସ୍ବର୍ଗୀୟ ଧର୍ମଜାତ ଶାନ୍ତି ।
ଜୀବନେ ପବିତ୍ର ଉତ୍ସାହ ଶକତି, ଉତ୍କଳର ଆହା କି ଘୋର ଦୁର୍ଗତି !

କାହିଁ ଗଲା ପୂର୍ବ ଓଡ଼ିଆ ବୋଇତ ? କାହିଁ ସେ ନାବିକ କର୍କଶ ସଙ୍ଗୀତ ?
ଜଳପଥେ କାହିଁ ବିଦେଶ ଗମନ ? କାହିଁ ପୂର୍ବ ଖ୍ୟାତି କାହିଁ ପୂର୍ବ ଧନ ?
କଥାରେ ରହିଛି ସବୁ ଆଜିଯାଏ, ସାଧବାଣୀ ବୋହୂ ବୋଇତ ବନ୍ଦାଏ ।

କଙ୍କରିତ ତୋର ଦୃଢ଼ ରମ୍ୟ ତଟ, ଦୁର୍ଗମ ଶଇଳ ଅଭେଦ୍ୟ ସଙ୍କଟ ।
ଖେଳାଉଥିଲେ ଯେ ଧରି ନିଜ ଦେହେ, ଉତ୍କଳର କେତେ ବୀର ଶିଶୁ ସ୍ନେହେ ।

ଅଛି ସେହି ଗିରି ଅଛି ସେ ବିପିନ, ଅଛି ତୋର ଶିଳା ସୁଦୃଢ଼ ପୁଳିନ ।
କିନ୍ତୁ କାହିଁ ଆହା ଏବେ ସେ ବୀରତା ? ଓଡ଼ିଆ ଜାତିର ପୂର୍ବ ଜାତୀୟତା ?

ଉତ୍କଳମଣି ଗୋପବନ୍ଧୁ ଦାସ

ଉତ୍କଳମଣି ଗୋପବନ୍ଧୁ ଦାସ (୧୮୭୭-୧୯୨୮) ଓଡ଼ିଆଙ୍କ ନିକଟରେ ଏକ ପରିଚିତ ନାମ । ଗୋପବନ୍ଧୁ ଓଡିଶାର ସାହିତ୍ୟ, ସାମ୍ବାଦିକତା, ରାଜନୀତି, ଶିକ୍ଷାବ୍ୟବସ୍ଥା, ଗଣଆନ୍ଦୋଳନ ସହିତ ସାମଗ୍ରୀକଭାବେ ଜଡିତ ଥିଲେ । ଗୋପବନ୍ଧୁଙ୍କ ଦ୍ବାରା ପ୍ରତିଷ୍ଠିତ ଦୈନିକ ସମ୍ବାଦପତ୍ର "ସମାଜ" ଓଡ଼ିଆ ସମ୍ବାଦପତ୍ର ଜଗତରେ ଏକ ପରିଚିତ ନାମ । ତାଙ୍କ ଲେଖାଗୁଡ଼ିକ ମଧ୍ୟରେ ବନ୍ଦୀର ଆତ୍ମକଥା, କାରା କବିତା ଓ ଅବକାଶ ଚିନ୍ତା ଆଦି ସଙ୍କଳନ ଓଡ଼ିଆ ପାଠକମାନଙ୍କ ନିକଟରେ ବେଶ୍ ପରିଚିତ ଏବଂ ପଠିତ ପୁସ୍ତକ ଅଟେ ।

You may also like...