ସୂର୍ଯ୍ୟ ପ୍ରତି ଦୀପ

ଭାସ୍କର ନାମକୁ ସୂର୍ଯ୍ୟ କରୁଛ ସଫଳ,
ଆଲୋକିତ କରି ଚର ଅଚର ସକଳ |

ମୋର ପ୍ରତି ପ୍ରତିକୂଳ ହେଲ କି କାରଣ,
ଯା’ ଥିଲା ମୋ ପ୍ରଭାଟିକ ତା କଲ ହରଣ |

ତୁମ୍ଭ ରିପୁ ତମ, ତାକୁ ନାଶ ଏ ସଂସାରେ,
ମୁହିଁ ତମ ନାଶିଟାଏଁ ଶକ୍ତି ଅନୁସାରେ |

ଉଚିତ ଅଟଇ ମୋହଠାରେ ତୁମ୍ଭ ତୋଷ,
କିନ୍ତୁ ମୋ ଆଲୋକ ନାଶ ଦେଖି କେଉଁ ଦୋଷ?

ଅନ୍ଧକାର ସଙ୍ଗେ କଲ ମୋ ଆଲୋକ ଗଣ୍ୟ,
ଧନ୍ୟ ପ୍ରଭାକର ତୁମ୍ଭ ମିତ୍ର ନାମ ଧନ୍ୟ !

ନୟନ-ଦେବତା ତୁମ୍ଭେ ଏ କି ଚମତ୍କାର,
ନ ପାରିଲ ବାରି ନିଜେ ଆଲୋକ ଅନ୍ଧାର |

ଏହି ସ୍ଵଭାବରୁ ତୁମ୍ଭେ ହେଲେ ଯେତେ ବଡ,
ଚିହ୍ନା ପଡିଗଲ ସିନା ଦେବ ନୁହଁ ଜଡ !

ସ୍ଵଭାବ କବି ଗଙ୍ଗାଧର ମେହେର

ଗଙ୍ଗାଧର ମେହେର (୧୮୬୨ - ୧୯୨୪) ଜଣେ ଅସାଧାରଣ ପ୍ରତିଭାବାନ କବି ଥିଲେ । ଗୌରବ-ମଣ୍ଡିତ ପ୍ରାଚୀନ ସାହିତ୍ୟର ପରମ୍ପରା ସଂରକ୍ଷଣ ସହ ଉନ୍ନତ ଭାଷା ଓ ଭାବର ଉପାଦାନରେ ନବୀନ ସାହିତ୍ୟର ସୃଷ୍ଟି ମେହେର-ସାହିତ୍ୟର ବୈଷିଷ୍ଟ୍ୟ ଅଟେ । ଅର୍ଘ୍ୟଥାଳି କବିତାମାଳାର ଭକ୍ତି, ଅମୃତମୟ ଓ ମଧୁମୟ କବିତା ଓଡ଼ିଶାର ପୁରପଲ୍ଲୀରେ ଅତି ପରିଚିତ କବିତାମାନଙ୍କ ଭିତରୁ ଅନ୍ୟତମ ତାଙ୍କର କିଛି ଜଣାଶୁଣା ରଚନା ହେଲା: • ଇନ୍ଦୁମତୀ, • ଉତ୍କଳ ଲକ୍ଷ୍ମୀ • କୀଚକ ବଧ • ତପସ୍ଵିନୀ • ମହିମା • ଅହଲ୍ୟାସ୍ତବ • ଅର୍ଘ୍ୟଥାଳି • ଭକ୍ତି • ଅମୃତମୟ • ମଧୁମୟ • ମାତୃଭୂମି • ଅର୍ପଣ • ଆଶ୍ରମେ ପ୍ରଭାତ • ଉତ୍କଳ-ଲକ୍ଷ୍ମୀ

You may also like...