ବାଣୀ

ସୃଷ୍ଟି ଆଦ୍ୟ କାଳୁ ଦେବି ତୋହର ଉତ୍ପତ୍ତି,
ତୋର ନିତ୍ୟ ଲୀଳାଭୂମି ଅନନ୍ତ ଅପାର,
ଅନନ୍ତ ଅଦ୍ଭୁତ ଅତି ତୋ ମହାଶକତି,
ସହଜେ ବୁଝିବ କାହିଁ ତାହା ନର ଛାର l (୧)
ଅନଳେ ଆହୁତିଧାର କରି ଚରଷଣ,
ପୂତନୀରା ସରସ୍ବତୀ-ପୁଳିନ ପ୍ରଦେଶ
ଗାଇଲେ ସଙ୍ଗୀତ ଯେବେ ଆଦି ଋଷିଗଣ,
ପ୍ରକାଶିଲୁ ତହିଁ ମାତଃ କି ଶୁଦ୍ଧ ସୁବେଶେ! (୨)
ସେ କାଳର ଶୁଦ୍ଧ ବେଶ ଦିବ୍ୟ ଭାବମାନ
ବିଭାସିଣ ଆଲୋକିଛି ସର୍ବ ବସୁନ୍ଧରା
ତମାବୃତ୍ତ କିନ୍ତୁ ଆଜି ଭାରତ-ସନ୍ତାନ,
ନ କରଇ କହ କିବା କାଳ ପରମ୍ପରା l (୩)
ପଙ୍କଜ ବାସିନୀ ଦେବୀ ନିତ୍ୟ ବୀଣାପାଣୀ,
ବାଅ ସେ ଅମର ବୀଣା କୃପା କରି ଥରେ,
ପବେଶୁ ତା ଦିବ୍ୟନାଦ ମୃତସଞ୍ଜୀବନୀ
ମୃତ ପ୍ରାୟ ଭାରତର ହୃଦୟ-କନ୍ଦରେ l (୪)
ଭାରତେ ଉତ୍କଳ ପୁଣି ଅତି ଅଭାଗିନୀ,
ଧନେ ଜନେ ମାନେ ଜ୍ଞାନେ ବିନ୍ତ୍ରମ ସାହସେ,
ଆଦେଶେ ମା ଫୁଟି ତବ ଆବାସ-ନଳିନୀ
ଗୌରବ-ତପନେ ବରୁ ଉତ୍କଳ-ନଭସେ l (୫)
ମହାନନ୍ଦେ ବିହରିଣ ନିତି ଜ୍ଞାନ ବନେ
ଶାସ୍ତ୍ର-ସୁମନରୁ ସତ୍ୟ-ମକରନ୍ଦ ରାଶି
ଆହରିଣ ଭକ୍ତିଭରେ ହେ ସୁଧୀବନ୍ଦନେ!
ଖଟନ୍ତୁ ତୋ ପଦ ଯୁଗେ ଉତ୍କଳ-ନିବାସୀ l (୬)
ମୁଁ ଅତି ସାମାନ୍ୟ, ମୋର ସାମାନ୍ୟ କାମନା,
ପୂରୁ ମାତଃ ବାକ୍ୟ-ଦେବୀ ତୋହର ପ୍ରସାଦେ,
ବାସ୍ତବ ବିଶ୍ବର ଜେତେ ନୀରସ ଘଟନା
ପ୍ରବେଶ ନ କରୁ କେବେ ମୋ ସୁଖ-ପ୍ରାସାଦେ l (୭)
ଆବର୍ଜ୍ଜନାମୟ ଏହୁ ସଂସାର-ଜଞ୍ଜାଳେ
କେବେ ପ୍ରପୀଡିତ ମୋର ନ ହେଉ ମାନସ,
କଳ୍ପନାର ସୁଖରାଜେୟ ଦେଖେ କାଳେ କାଳେ
ସ୍ବର୍ଗୀୟ ସୁଷମା ଆଉ ସ୍ବର୍ଗୀୟ ରହସ୍ୟ l (୮)

ଉତ୍କଳମଣି ଗୋପବନ୍ଧୁ ଦାସ

ଉତ୍କଳମଣି ଗୋପବନ୍ଧୁ ଦାସ (୧୮୭୭-୧୯୨୮) ଓଡ଼ିଆଙ୍କ ନିକଟରେ ଏକ ପରିଚିତ ନାମ । ଗୋପବନ୍ଧୁ ଓଡିଶାର ସାହିତ୍ୟ, ସାମ୍ବାଦିକତା, ରାଜନୀତି, ଶିକ୍ଷାବ୍ୟବସ୍ଥା, ଗଣଆନ୍ଦୋଳନ ସହିତ ସାମଗ୍ରୀକଭାବେ ଜଡିତ ଥିଲେ । ଗୋପବନ୍ଧୁଙ୍କ ଦ୍ବାରା ପ୍ରତିଷ୍ଠିତ ଦୈନିକ ସମ୍ବାଦପତ୍ର "ସମାଜ" ଓଡ଼ିଆ ସମ୍ବାଦପତ୍ର ଜଗତରେ ଏକ ପରିଚିତ ନାମ । ତାଙ୍କ ଲେଖାଗୁଡ଼ିକ ମଧ୍ୟରେ ବନ୍ଦୀର ଆତ୍ମକଥା, କାରା କବିତା ଓ ଅବକାଶ ଚିନ୍ତା ଆଦି ସଙ୍କଳନ ଓଡ଼ିଆ ପାଠକମାନଙ୍କ ନିକଟରେ ବେଶ୍ ପରିଚିତ ଏବଂ ପଠିତ ପୁସ୍ତକ ଅଟେ ।

You may also like...