ନୀରବ
ନୀରବେ ପ୍ରସରେ କ୍ଷଣେ ଦିବ୍ୟ ଜ୍ୟୋତିଧାରା,
ନୀରବେ ଆକାଶେ ଉଦେ ରବି–ଶଶୀ–ତାରା,
ନୀରବେ ବଢ଼ଇ ତରୁଲତା–ମହୀଧର
ନୀରବ ନିଖିଳ ବିଶ୍ବ ନିଗୂଢ଼ ମନ୍ତର ।
ମହା–କାଳ–ପାରାବାର ଅନନ୍ତ ଗରଭେ
ମିଶଇ ସମୟ–ସ୍ରୋତ ସତତ ନୀରବେ,
ନୀରବେ ଜଗତ କରେ ନିଜ କକ୍ଷେ ଗତି
ନୀରବ ନିଖିଳ ବିଶ୍ବ ନିଗୂଢ ଶକତି ।
ନୀରବେ ପ୍ରେମିକ ନେତ୍ରେ ଅଶ୍ରୁ ଢଳ ଢଳ,
ନୀରବେ ସରସୀ–ବକ୍ଷେ ହସେ ଶତଦଳ,
ନୀରବେ ନିରାଶ ହୃଦେ ବହେ ଦୀର୍ଘଶ୍ବାସ,
ସୁଖେ ଦୁଃଖ ପରାଣର ନୀରବ ଆଶ୍ବାସ ।
ତେବେ କିପାଁ ଚଉଦିଗେ ଚହଳ ଚିତ୍କାର,
କିପାଁଇ ମାବନ କରେ ଏତେ ଅପଚାର?
ଚାହିଁ ଅନ୍ତରୀକ୍ଷ, ଚାହଁ ଆପଣା ଅନ୍ତର,
ଶୁଣ ଶିଖ ସାଧ ସଦା ନୀରବ ମନ୍ତର ।