ଛୋଟ ବଡ଼
ଛୋଟର ଆଦର କରିଥାଏ ଛୋଟ,
ବଡ଼ର ଆଦର ବଡ଼,
ଫୁଟିଥିଲା ଫୁଲ ସଙ୍ଗେ ସରି କିବା
ହେବ କେବେ ଫୁଲକଢ଼ !
ବଡ଼ ହୁଏ ଯଦି ପୂର୍ଣ୍ଣଚନ୍ଦ୍ର ପରି
ଆଉ ନ ପାରିବ ବଢ଼ି,
ଫୁଟିଲା ଫୁଲ କି ଫୁଟେ ଆଉ ଥରେ,
ଫୁଟେ ସିନା ଫୁଲକଢ଼ି !
ମୁଁ ତ ଛୋଟ,
ମୁଁ ତ କ୍ଷୁଦ୍ର ଅତିଶୟ,
ବଡ଼ କିନ୍ତୁ ଦିନେ ହେବି ମୁଁ ନିଶ୍ଚୟ;
ସାନ ହୁଏ ବଡ଼,
ଭଙ୍ଗା ହୁଏ ଦଢ଼,
ପଛ ଲୋକ ହୁଏ ଆଗ,
ସେଥିପାଇଁ ସଦା ସାନ ମଣି ଆପେ
ଲୋଡ଼ୁଥିବି ପଛଭାଗ ।
ହେଲେ ସାନ ନାହିଁ
ଲାଜ ଅପମାନ
ଯଦି ମୁଁ ପାରିବି ବଢ଼ି,
ଫୁଟିଲା ଫୁଲ କି ଫୁଟେ ଆଉ ଥରେ,
ଫୁଟେ ପରା ଫୁଲକଢ଼ି !