ଆଜ ଏକି ଗୁମାନରେ

ଆଜ ଏ କି ଗୁମାନରେ (ଚନ୍ଦ୍ରାନନା)
ଦେଖି ନାହିଁ ସ୍ବପନରେ  ||ପଦ||

ସୁନ୍ଦର ରଦବାସ, ମନ୍ଦାର ଦଳେ ହାସ-
କୁନ୍ଦକୁ ପରକାଶ, କୁନ୍ଦନାଙ୍ଗୀ ମୋ ଧନି!

ତୁ ସିନା ମୋର ପ୍ରାଣ, ରମଣୀଗଣ ରାଣ,
ରାଣ ଅଛିଟି ମାଣ- ବକ ମୃଗାକ୍ଷୀ ଜାଣ,
ଦାରୁଣ ସ୍ମର ରାଣ, ଶାଣ ଦିଆ ତୀକ୍ଷଣ,-
ବାଣ ଗଣରେ, ନିଶ୍ଚେ ନେବଟି ଏ ପରାଣ |୧|

ଚାରୁ ଚମ୍ପକ ଦେହା ରେ, ଚନ୍ଦ୍ରାନନା;
କାହୁଁ ଶିଖିଲୁ ଏହାରେ |
ଅଶ୍ରୁ ପ୍ରସରିବାର ମହୀକି ଚିରିବାର,
ଆଜନ୍ମ ପରିଚାର ସଂସାର ସାରିବାର |୨|

ମର୍ମ ଗଲାଟି ଫାଟିରେ, ଚନ୍ଦ୍ରାନନା!
ମାର ମାର୍ଗଣ ଧାଟିରେ,
ବନ୍ଧୁଆ, ସରିଲିଟି ତୋ କୀର୍ତ୍ତି ପରିପାଟୀ,
ରୋପିବାର ଲତାଟି ମୂଳୁ ନ ପକା କାଟି |୩|

ଦୋଷ ଦେଖି ତୁ ଦଣ୍ଡରେ, ଚନ୍ଦ୍ରାନନା!
ମଣ୍ଡନା କରି ଗଣ୍ଡରେ,
ବାହୁ ପାଶେ ନିତାନ୍ତେ ବାନ୍ଧିବା ବସନାନ୍ତେ
ଓଷ୍ଠ ବିଦାରି ଦନ୍ତେ ଭୁଷ କରଜ-କୁନ୍ତେ |୪|

ଆରମ୍ଭିଲେ ତୁ ରୁଷାରେ, ଚନ୍ଦ୍ରାନନା!
ଭରସା କେ ମୋ ରସାରେ,
ତେଜିଲେ ତୁ ମୋ କୋଳ କେତେ ମୋ ଧୃତି ବଳ
ସହେ ବି କରବାଳ କେଳି-କମଳ ଦଳ ? |୫|

ଶ୍ୟାମ ବିନୟ ଭାଷାରେ, ଚନ୍ଦ୍ରାନନା!
ମନ୍ଦ ମଧୁର ହସାରେ,
ଭାଷିଲେ ପ୍ରିୟବାଣୀ ରସେ ସେ ସୁଲକ୍ଷଣୀ,
ରସିଲେ ମନ ଜାଣି, ଶ୍ରୀ ଛୋଟରାୟ ଭଣି |୬|

କବିସୂର୍ଯ୍ୟ ବଳଦେବ ରଥ

ବଳଦେବ ରଥ (୧୭୮୯ - ୧୮୪୫) ଗଞ୍ଜାମ ଜିଲ୍ଲାର ଜଣେ ଓଡ଼ିଆ ରୀତି ଯୁଗର କବି । କବିଙ୍କ ରଚିତ ବିଭିନ୍ନ ରଚନାବଳୀର ଲୋକପ୍ରିୟତା ଏବଂ ତାଙ୍କର ଜ୍ଞାନକୁ ଦୃଷ୍ଟିରେ ରଖି ତତ୍କାଳୀନ ଠାକୁର ରାଜା ଗଜପତି ମହାରାଜ ତାଙ୍କୁ କବିସୂର୍ଯ୍ୟ ଉପାଧିରେ ଭୁଷିତ କରିଥିଲେ । ସେ ଏକାଧାରରେ ଜଣେ କବି ଓ ସଙ୍ଗୀତକାର । ତାଙ୍କର କିଛି ଜଣାଶୁଣା କୃତି ହେଲା: ରତ୍ନାକର ଚମ୍ପୁ କିଶୋର ଚନ୍ଦ୍ରାନନ ଚମ୍ପୁ କବିତା କଲ୍ଲୋଳିନୀ ସଙ୍ଗୀତ କଳ୍ପଲତା କାହାକୁ କହିବା ଗୋ ରସନାଟି ସର୍ପ ଜଣାଣ (ବାଧିଲା ଜାଣି କ୍ଷମା) କ୍ଷୀରମୟସିନ୍ଧୁ ଜେମା ଜୀବବନ୍ଧୁ ପ୍ରେମୋଦୟ ଚମ୍ପୂ ହାସ୍ୟକଲ୍ଲୋଳ

You may also like...