ବଳରାମ ଦାସ

କି ମଧୁର ନାମ ଭକ୍ତ ବଳରାମ
ଉତ୍କଳବାସୀ-ଶ୍ରବଣେ ;
ସାହିତ୍ୟ-ସଂସାରେ କଠୋର ସାଧକ
କାହିଁ ତୁମ୍ଭ ପରି ଜଣେ?
ବାଲମିକ ବ୍ୟାସ ଅନ୍ତର-ଉଚ୍ଛ୍ବାସ
ଯମୁନା ଜାହ୍ନବୀ ପରି,
ପ୍ରୟାଗ ପରାଏ ଏକାଧାରେ କିଏ
ପାରେ ତୁମ୍ଭ ବିନେ ଧରି l
ଗୀତା ଗୂଢ ବାଣୀ ଲୋକରେ ବଖାଣୀ
ପଚାରିଲ ତତ୍ତ୍ବ ଜ୍ଞାନ,
ଧର୍ମ୍ମ ସାଧାରଣ କରିବା କାରଣ
କଲ ଆନ ଗୀତାମାନ l (୧)
କମଳ ଲୋଚନ କୋମଳ ବଚନ
ଶିଶୁମୁଖେ ଜିଣେ ବୀଣା,
ବୃଦ୍ଧ ଯୁବା ଯୋଗୀ ଭକ୍ତ ଅନୁରାଗୀ
ସର୍ବେ ତବ ପଦେ କିଣା l
ଦୁର୍ଲ୍ଲଭ ସଂସ୍କୃତ୍ ଭାଣ୍ଡେ ଯେ ଅମୃତ
ରଖିଗଲେ ବାଲମୀକି,
କେବଳ କୋବିଦ ପାଇଲେ ଆସ୍ବାଦ
ମିଲିଲା ନାହିଁ ସଭିଙ୍କି l
ପତିତ ପାଷଣ୍ଡ ମୂଢ ମୂର୍ଖ ଗଣ୍ଡ
ତୋଷିବାକୁ ମନେ ଭାଳି,
ମୃତ୍ତିକା ଆଧାରେ ଦେଲେ ଦ୍ବାରେ ଦ୍ବାରେ
ରାମାୟଣ ସୁଧା ଢାଳି l
ହିଏ ମୋ ପ୍ରତୀତି ନୀଳାଚଳପତି
ଭକତ-ବନ୍ଧୁ ଠାକୁର,
ଉତ୍କଳ୍-କଲ୍ୟାଣେ କ୍ଷୁଦ୍ଧ-ଅଭିଯାନେ
ଜିଣିଲେ ଯେ କାଞ୍ଚିପୁର l
କବି ରୂପେ ପୁଣି ଅବତରି ବେନି (୨)
ଜଗନ୍ନାଥ, ବଳରାମ,
ଧର୍ମ୍ମ-କର୍ମ୍ମ-ଦୀକ୍ଷା ସାହିତ୍ୟ ସୁଶିକ୍ଷା
ପ୍ରଚାରି ରଖିଲ ନାମ l
ଏବେ ନୀଳାଚଳେ ରହିଛି ନିଶ୍ଚଳେ
ଦେଖି ଏ ଦଶା କିପରି?
ଛାଡିଣ ଆସ୍ଥାନ ଆସ ଆର୍ତ୍ତନ୍ତ୍ରାଣ!
ଚଳ ଅ ଉତ୍କଳ-ତରୀ l

ଉତ୍କଳମଣି ଗୋପବନ୍ଧୁ ଦାସ

ଉତ୍କଳମଣି ଗୋପବନ୍ଧୁ ଦାସ (୧୮୭୭-୧୯୨୮) ଓଡ଼ିଆଙ୍କ ନିକଟରେ ଏକ ପରିଚିତ ନାମ । ଗୋପବନ୍ଧୁ ଓଡିଶାର ସାହିତ୍ୟ, ସାମ୍ବାଦିକତା, ରାଜନୀତି, ଶିକ୍ଷାବ୍ୟବସ୍ଥା, ଗଣଆନ୍ଦୋଳନ ସହିତ ସାମଗ୍ରୀକଭାବେ ଜଡିତ ଥିଲେ । ଗୋପବନ୍ଧୁଙ୍କ ଦ୍ବାରା ପ୍ରତିଷ୍ଠିତ ଦୈନିକ ସମ୍ବାଦପତ୍ର "ସମାଜ" ଓଡ଼ିଆ ସମ୍ବାଦପତ୍ର ଜଗତରେ ଏକ ପରିଚିତ ନାମ । ତାଙ୍କ ଲେଖାଗୁଡ଼ିକ ମଧ୍ୟରେ ବନ୍ଦୀର ଆତ୍ମକଥା, କାରା କବିତା ଓ ଅବକାଶ ଚିନ୍ତା ଆଦି ସଙ୍କଳନ ଓଡ଼ିଆ ପାଠକମାନଙ୍କ ନିକଟରେ ବେଶ୍ ପରିଚିତ ଏବଂ ପଠିତ ପୁସ୍ତକ ଅଟେ ।

You may also like...