ଉପେନ୍ଦ୍ରଭଞ୍ଜ

କବିକୁଳ କଞ୍ଜ ଉପଇନ୍ଦ୍ରଭଞ୍ଜ ନମେ ତବ ପଦତଳେ,
କାବ୍ୟ-ସୁମାଧୁରୀ ଭାଷା-ସୁଚାତୁରୀ ପରକାଶିଲ ଉତ୍କଳେ ।
ଜନ୍ମି ରାଜକୁଳେ ବଇଭବ କୋଳେ ଅତୁଳ ସୁଖ-ସଦନେ,
ତେଜି ସେ ସମ୍ଭୋଗ ଆଚରିଲ ଯୋଗ ବୀଣାପାଣି ଆରାଧନେ ।
ଅତି ମନୋହର ଚାରୁ ଚମତ୍କାର ଶତ ମାନସୀ ପ୍ରତିମା,
କାବ୍ୟ ଚିତ୍ରପଟେ ଉଜ୍ଜ୍ୱଳେ ପ୍ରକଟେ ତୁମ୍ଭ ପ୍ରତିଭା ଗରିମା ।
କଳ୍ପନାର କାଚେ ତବ ହୃଦ ଛାଞ୍ଚେ ନବ ବର୍ଣ୍ଣେ ପ୍ରତିଫଳି,
ନବ ଅଳଙ୍କାରେ ଶୋଭେ କି ରୁଚିରେ ପୁରାଣ ଘଟଣାବଳି ।
ହେ କବିଶେଖର ଭଞ୍ଜ ବୀରବର ! କୋଟି ଉତ୍କଳ-ସନ୍ତାନେ,
ଆଜି ନବଯୁଗେ ଧନ୍ୟ ଧନ୍ୟବାଦ କରିଛନ୍ତି ତୁମ୍ଭ ନାମେ ।
ଗାଏ ତୁମ୍ଭ ଗୀତ ସଭାରେ ପଣ୍ଡିତ ପଥେ ପାନ୍ଥ ହୃଷ୍ଟମନା,
ବିଲେ ବୋଲେ ଚଷା ଅନ୍ତଃପୁରେ ଯୋଷା ନୃତ୍ୟରଙ୍ଗେ ବାରାଙ୍ଗନା ।
କାଳ ବଳିଆର ଆଣଇ ସଂସ୍କାର ନବ ରୁଚି ନବଜ୍ଞାନ,
କିନ୍ତୁ ବୈଦେହୀଶ ବିଳାସ ପାଇବ କାଳେ କାଳେ ଉଚ୍ଚେ ସ୍ଥାନ ।
ସୃଜିଣ ସ୍ୱହସ୍ତେ ଓଡ଼ିଆଙ୍କ ଭାଷା ଗଢ଼ିଛି ଓଡ଼ିଆ ଜାତି,
ତବ ଜନ୍ମସ୍ଥାନ ଓଡ଼ିଶାରୁ ଆନ ଭାବିଲେ ବିଦରେ ଛାତି ।
ତଥାପି ଅନେକ ସାହିତ୍ୟ-ସେବକ ଭାବି ଉତ୍କଳ ନନ୍ଦନ,
ପୁଣ୍ୟ ତୀର୍ଥମଣୀ ଘୁମୁସର ପଦେ କରିବେ ନିତି ବନ୍ଦନ ।

ଉତ୍କଳମଣି ଗୋପବନ୍ଧୁ ଦାସ

ଉତ୍କଳମଣି ଗୋପବନ୍ଧୁ ଦାସ (୧୮୭୭-୧୯୨୮) ଓଡ଼ିଆଙ୍କ ନିକଟରେ ଏକ ପରିଚିତ ନାମ । ଗୋପବନ୍ଧୁ ଓଡିଶାର ସାହିତ୍ୟ, ସାମ୍ବାଦିକତା, ରାଜନୀତି, ଶିକ୍ଷାବ୍ୟବସ୍ଥା, ଗଣଆନ୍ଦୋଳନ ସହିତ ସାମଗ୍ରୀକଭାବେ ଜଡିତ ଥିଲେ । ଗୋପବନ୍ଧୁଙ୍କ ଦ୍ବାରା ପ୍ରତିଷ୍ଠିତ ଦୈନିକ ସମ୍ବାଦପତ୍ର "ସମାଜ" ଓଡ଼ିଆ ସମ୍ବାଦପତ୍ର ଜଗତରେ ଏକ ପରିଚିତ ନାମ । ତାଙ୍କ ଲେଖାଗୁଡ଼ିକ ମଧ୍ୟରେ ବନ୍ଦୀର ଆତ୍ମକଥା, କାରା କବିତା ଓ ଅବକାଶ ଚିନ୍ତା ଆଦି ସଙ୍କଳନ ଓଡ଼ିଆ ପାଠକମାନଙ୍କ ନିକଟରେ ବେଶ୍ ପରିଚିତ ଏବଂ ପଠିତ ପୁସ୍ତକ ଅଟେ ।

You may also like...