ତପସ୍ଵିନୀ (ଅଷ୍ଟମ ସର୍ଗ)

ଜୀବନେ ଯଉବନ ବଢ଼ଲା ସମ
ବସନ୍ତ ବଢି ବନେ ହେଲା ଗ୍ରୀଷମ,
ଯୁବା-ଶକତି ଯଥା ହୁଏ ପ୍ରଖରା;
ପ୍ରଚଣ୍ଡତର ହୋଇ ଆସିଲା ଖରା |୧|
ସୁଖ-ବିଷୟ-ଭୋଗ ତୃଷ୍ଣାର ପରି
ସଞ୍ଜାର କଲା ମୃଗତୃଷ୍ଣା ସୁନ୍ଦରୀ,
ତୂଳା ଉଡ଼ିଲା ତେଜି ଶାଳଳୀ ତରୁ;
କୃପଣ ଧନ କାଳେ ଉଡ଼େ ଖାତରୁ |୨|
ପଲାଶ ଅଙ୍ଗେ ନାହିଁ ପୂର୍ବ ସୁରଙ୍ଗ
ଅନିତ୍ୟ ଏହିପରି ଭବ-ପ୍ରସଙ୍ଗ,
ତାପେ ଅଧିକତର ମଲ୍ଲୀ ଫୁଟିଲା;
ଅଧିକ ବାସ ତାର ଅଙ୍ଗୁଛୁଟିଲା |୩|
ସାଧୁ-ହୃଦୟ ତାପେ ହୁଏ ଅଟଳ
ବରଞ୍ଚ ହୁଏ ଶାନ୍ତି-ଯଶ ପ୍ରବଳ,
କୁଟଜ ଅନାଇଲା ତାକୁ ହରଷେ;
ସାଧବ ପାଇ ସାଧ ଅବଶ୍ୟ ରସେ |୪|
ଏକ ହୃତୟେ ଦୁହେଁ କଲେ ବିଚାର
ଗ୍ରୀଷମେ କରୁଥିବା ବାସ ସଞ୍ଚାର,
ବରଷା ହେଲେ ମହୀ ହେବ ଶୀତଳ;
ଶାନ୍ତି ଲଭିବେ ଜୀବଜନ୍ତୁ ସକଳ |୫|
କଦମ୍ବ କେତକୀ ତ ବାସ କୃପଣ
ନୁହନ୍ତି, କରିବେ ସେ ଲୋକତର୍ପଣ,
ଅର୍ପଣ କରି ଜନ-ରଞ୍ଜନ ଭାର
ତେଜିବା ହସି ହସି ତରୁ ସଂସାର |୬|
ଉଦ୍ଦଣ୍ଡ କମଳିନୀ ଉଞ୍ଚାଇ ମଥା
ସହର୍ଷେ ସମର୍ଥନ କରି ସେ କଥା,
ବୋଇଲା ମୁହିଁ ଥାଇ ତୁମ୍ଭର ସଙ୍ଗେ;
ଝାସିବି କାଳ-ସିନ୍ଧୁ-ତୁଙ୍ଗ-ତରଙ୍ଗେ |୭|
ମଲ୍ଲୀ ବୋଇଲା ତାହା ପାରିବୁ କାହିଁ ?
ତୋ କାନ୍ତ ଭାନୁ ତୋତେ ଛାଡ଼ିବେ ନାହିଁ |
ବୋଇଲା କମଳିନୀ ଘୋଟିଲେ ଘନ,
ଚାହିବେ ନାହିଁ କାନ୍ତ ମୋର ବଦନ |୮|
ବିପଦେ କରି କିଛି ଦିନ ଯାପନ
କରିବି ଭବ-ବ୍ରତ ଉଦ୍ଯାପନ;
କାନ୍ତ ମୋ ଘନ ଭେଦିପାରନ୍ତି ନାହିଁ,
ସହନ୍ତି ଦୁଃଖ ଲୋକମଙ୍ଗଳ ପାଇଁ |୯|
ଅଧିକ ଦିନ କାନ୍ତ-ପ୍ରେମାନୁରାଗ
ଭୋଗ କରିବି କାହିଁ? ନାହିଁ ମୋ ଭାଗ୍ୟ,
ତାଙ୍କ ଚରଣ କରୁଥିବି ସ୍ମରଣ;
ମରଣ ନେବ ମୋତେ କରି ବରଣ |୧୦|
ଏ ଜନ୍ମେ କିଛିଦିନ ସହିଲେ ଦୁଃଖ
ଚାହିଁବି ପର ଜନ୍ମେ ସ୍ୱମୀ-ଶ୍ରୀମୁଖ,
ସେ କଥା ଜାନକୀଙ୍କ ଜ୍ଞାନ-ଶ୍ରବଣେ;
ପଡ଼ନ୍ତେ ଆଦରଶ ମଣି ଜୀବନେ |୧୧|
ବୋଇଲେ ପଦ୍ମିନୀ ଗୋ ଅଟୁ ସାଧବୀ
ଦିଶୁଛି ତୋତେ ପୁଣ୍ୟମୟୀ ପଦବୀ,
ବିଚାରେ ମୁହିଁ ତୋର ଅଟେ ଭଗିନୀ;
ତହିଁ ଉପରେ ପୁଣି ଭାଗ୍ୟ-ଭାଗିନୀ ! |୧୨|
ତୋ ପରି ସ୍ୱାମୀ-ସ୍ନେହ ଭୋଗିଲି ବନେ
ସ୍ୱଚ୍ଛ ଅମୃତମୟ ସୁଖ ଭବନେ;
ତୋ କାନ୍ତ ପ୍ରଭାକର ଦିବସ-ନାଥ,
ସେ ବଂଶେ ଜାତ ଧରା-ନାଥ ମୋ କାନ୍ତ |୧୩|
କହୁଛି ଯାହା ନିଜ ଭବିଷ୍ୟ ଗତି
ଆଗୁଁ ମୁଁ ଲଭିଲିଣି ସେହି ପଦ୍ଧତି,
ଧନ୍ୟ ତୋ ହୃଦ, ଧନ୍ୟ ଧନ୍ୟ ତୁ ସତି,
ଜୀବନେ ମୋର ଦିଅ ତୋ’ ଶୁଦ୍ଧ-ମତି |୧୪|
ଲୋକ ବଚନ କରି ଦୁଃଖ ଅର୍ଜନ
କରିଅଛନ୍ତି କାନ୍ତ ମୋତେ ବର୍ଜନ;
ମୋ’ ଭାଗ୍ୟ ପରକାଳେ ସ୍ୱାମୀ-ଦର୍ଶନେ,
କ୍ଷମ ହେବ କି? କହ ଦିବ୍ୟ ଦର୍ଶନେ |୧୫|
ଶୀତଳ-ଶତଦଳ-ଦଳର ତଳେ
ଘନ ଶ୍ୟାମଳ-ବକ୍ଷ-ସରସୀଜଳେ,
ମଧ୍ୟାହ୍ନ କଟାଇଲେ କୋକ-ଦମ୍ପତି,
ରାଜହଂସୀକି ସଙ୍ଗେ ଘେନି ତା’ ପତି |୧୬|
ଚିଙ୍ଗୁଡ଼ୀ କାରଣ୍ଡବ କାଣ୍ଡରୁ ବଞ୍ଚି
କମଳ-ବନେ ଲମ୍ବ-ଲମ୍ଫନ ରଚି,
ଛତ୍ର ବିଶାଳ-ପତ୍ର-ବିପିନେ ବଣା
ହୋଇ ଅନ୍ତିମେ ହେଲା ବକ-ପାରଣା |୧୭|
ଉଦ୍ଦଣ୍ଡ ଶତପତ୍ର-ପତ୍ର-ଉଦରେ
ପଡ଼ି ଶଫରୀ ଲମ୍ଫ ଦିଏ ଉଦରେ,
ମଣ୍ଡୁକ କୁମୁଦିନୀ ବଙ୍କା ନାଡରେ;
ନ ବସୁଁ ଡିଆଁମାରେ ଡ଼ୁଣ୍ଡୁଭ ଡରେ |୧୮|
ବିଷାଦେ ବସି ପିକ ରସାଳ-ଡାଳେ
କାକ କୁଲାୟ-ପାଶେ ପତ୍ର-ଉଢ଼ାଳେ,
ପିପାସା ସହି ଶ୍ରୁତିସୁଧା ନ ଢାଳେ;
ଲୁଚିଛି ଯେହ୍ନେ ଭୟ କରି ଚଣ୍ଡାଳେ |୧୯|
ନଚାଉ ନାହିଁ ଚମ୍ପା ବିସ୍ତାରି ପୁଚ୍ଛ
ପୁଚ୍ଛ-ମୂଳ-ସୁରଙ୍ଗ-ପାଲକ-ଗୁଚ୍ଛ,
କହଳୁ ନାହିଁ ରଙ୍ଗେ ହଲାଇ ପକ୍ଷ
ସୋଦର ଚାହିଁ କୋପେ ହୋଇ ବିପକ୍ଷ |୨୦|
ଯୁଝାଇଥାଏ ସିନା ତାକୁ ଆହାର
ନତୁବା ଭ୍ରାତା ରିପୁ ହୁଏ କାହାର ?
ବସିଛି ପୀନ କାୟେ ପୂର୍ଣ୍ଣ ଉଦରେ,
ବିଶାଳ ଶାଳତରୁ-ଡାଳେ ମୁଦରେ |୨୧|
ମଧୁକ-ବନେ ବସି ଶୁକ ସକଳେ
ଭୋଜନ-ବ୍ୟାଜେ କାଟି ମଧୁକ ଫଳ,
ଦ୍ୱିଜ-ସ୍ୱଭାବେ କରୁଛନ୍ତି ଅଙ୍କନ,
ସୂକ୍ଷ୍ମ ପଞ୍ଜିକା ଭାବୀ-ବୃଷ୍ଟି ଲକ୍ଷଣ |୨୨|
ତମସା-ତଟ-ବଟ-ବିଟପି-ତଳ
ନିବିଡ଼ କିଶଳୟ-ଛାୟା-ଶୀତଳ,
ତହିଁ କୁଟଜ-ବାସ-ପୂର୍ଣ୍ଣ-ଉଟଜେ
ସହଜେ ଗ୍ରୀଷ୍ମ ଶାନ୍ତି-ଚରଣେ ଭଜେ |୨୩|
ବାଲ୍ମୀକି ବସି ତହିଁ ଜ୍ଞାନ-ନୟନ
ଫିଟାଇ ଦେଖୁଛନ୍ତି ଶ୍ରୀରାମାୟଣ,
ତାପସ-ବୃନ୍ଦ କାହିଁ କେ ଅଧ୍ୟୟନ;
କେ କାହିଁ କରୁଛନ୍ତି ବେଦ-ଗାୟନ |୨୪|
ଗୁରୁ-ଗରଭ-ଭାରେ ଆଳସୀ ସୀତା
ତାପସୀ-ପରିବେଶେ ହୋଇ ବେଷ୍ଟିତା,
ନିବିଡ଼ ନିକୁଞ୍ଜରେ ପଲ୍ଲବାସନେ;
ଶାନ୍ତି ସେବନ୍ତି ବସି-ସ୍ଥିର-ଦର୍ଶନେ |୨୫|
ପରିଧି-ଯୁତ କି ସେ ଚନ୍ଦ୍ରମଣ୍ଡଳ
ରାକା-ବିଦାୟେ ଭଜେ ଅସ୍ତ-ଅଚଳ,
ସତୀ-ପାଣ୍ଡୁର-ଗଣ୍ଡ ସ୍ୱେଦ-ପଟଳ;
ଶିଶିର ପରା ହିମ ନୟନ-ଜଳ |୨୬|
ତାପସୀ ମଧ୍ୟେ ରହି ଶ୍ରୀରାମ-ରାଣୀ
ଲଙ୍କା ରାକ୍ଷସୀ-ବୃତି ସ୍ମୃତିକୁ ଆଣି,
ଭାବନ୍ତି ତାପସୀଙ୍କ ସ୍ୱର୍ଗୀୟ ଭାବ,
ରାକ୍ଷସୀ ନାରକୀୟ ମନ୍ଦ ସ୍ୱଭାବ |୨୭|
ମନେ ପଡ଼ନ୍ତେ ବୀର ବାତ ନନ୍ଦନ
ବାତଦେବଙ୍କୁ କଲେ ଅଭିନନ୍ଦନ,
ତାଳ-ବୃନ୍ତରେ ଦେବୀ ସାଦରେ ବିଞ୍ଚି;
ପ୍ରସାଦ ଲାଭ କଲେ ଶୀତଳ-ବୀଚି |୨୮|
ଏକାଳେ ଆଗେ ଆସି ଚିନ୍ତା-ସୁନ୍ଦରୀ
ବୋଇଲା ବଚନରେ ବିନୟ ଭରି;
“ଦେବି ଗୋ ! ଦ୍ୱାରେ ଆସି କେତେକ ଜନ;
ସତୃଷ୍ଣେ ଲୋଡ଼ୁଛନ୍ତି ତୁମ୍ଭ ଦର୍ଶନ |୨୯|
ବହୁତ ଦୁରୁଁ ଆସି ଅଛନ୍ତି ପରା
ଧନ୍ୟ ଦିଦୃଶକ୍ଷା ଗଣିନାହିଁ ଏ ଖରା,
ଦେଖିଲେ ମନେହର ରୂପ ତାଙ୍କର;
ହୃଦୟ ହୋଇଯାଏ ପ୍ରୀତି-ଆକର” |୩୦|
ଦେବୀ ବୋଇଲେ, “ସଖୀ, ଆଣ ସତ୍ୱର
ଧନ୍ୟ ମୋ ଭାଗ୍ୟ ! ମୋତେ ଏତେ ଆଦର,
ତାଙ୍କ ଦର୍ଶନେ ମୋର ନୟନଦ୍ୱୟ;
କରିବେ ପାପ-ତାପ ଅବଶ୍ୟ କ୍ଷୟ” |୩୧|
ଦେବୀ ଆଦେଶେ ଜଣେ ପ୍ରଥମେ ଆସି
ବୋଇଲା ମୃଦୁ-ମନ୍ଦ ହାସ ପ୍ରକାଶି,
ସୁଚିର-ପରିଚିତ-ବାନ୍ଧବ ପରି;
ପ୍ରଣୟ ବାକ୍ୟେ ସୁଧା ସେଚନ କରି |୩୨|

ସ୍ଵଭାବ କବି ଗଙ୍ଗାଧର ମେହେର

ଗଙ୍ଗାଧର ମେହେର (୧୮୬୨ - ୧୯୨୪) ଜଣେ ଅସାଧାରଣ ପ୍ରତିଭାବାନ କବି ଥିଲେ । ଗୌରବ-ମଣ୍ଡିତ ପ୍ରାଚୀନ ସାହିତ୍ୟର ପରମ୍ପରା ସଂରକ୍ଷଣ ସହ ଉନ୍ନତ ଭାଷା ଓ ଭାବର ଉପାଦାନରେ ନବୀନ ସାହିତ୍ୟର ସୃଷ୍ଟି ମେହେର-ସାହିତ୍ୟର ବୈଷିଷ୍ଟ୍ୟ ଅଟେ । ଅର୍ଘ୍ୟଥାଳି କବିତାମାଳାର ଭକ୍ତି, ଅମୃତମୟ ଓ ମଧୁମୟ କବିତା ଓଡ଼ିଶାର ପୁରପଲ୍ଲୀରେ ଅତି ପରିଚିତ କବିତାମାନଙ୍କ ଭିତରୁ ଅନ୍ୟତମ ତାଙ୍କର କିଛି ଜଣାଶୁଣା ରଚନା ହେଲା: • ଇନ୍ଦୁମତୀ, • ଉତ୍କଳ ଲକ୍ଷ୍ମୀ • କୀଚକ ବଧ • ତପସ୍ଵିନୀ • ମହିମା • ଅହଲ୍ୟାସ୍ତବ • ଅର୍ଘ୍ୟଥାଳି • ଭକ୍ତି • ଅମୃତମୟ • ମଧୁମୟ • ମାତୃଭୂମି • ଅର୍ପଣ • ଆଶ୍ରମେ ପ୍ରଭାତ • ଉତ୍କଳ-ଲକ୍ଷ୍ମୀ

You may also like...