ଭଜୁ କିନା ରାମ ନାମ

ଭଜୁ କିନା ରାମ ନାମରେ ରାଜନ
ବୋଲୁ କିନା ରାମ ନାମ,
ଭଜି ନପାରିଲେ କୂଳ ଚନ୍ଦ୍ରମାରେ
ବାନ୍ଧି ନେବ କାଳ ଯମ ।

କି କରିବେ ତୋତେ ମାୟା ସ୍ତିରୀମାନେ
ମାୟାରେ ହୋଇଛୁ ଭୋଳ,
ଆଜି ମଲେ କାଲି ହେବ ଦୁଇ ଦିନ
ମିଥ୍ୟା ମାୟାରେ ଏ ସଂସାର।
ରାଜ କୁଳ ବଡ଼ ସୁଖ ଲୋ ଜନନୀ
ଯୋଗୀ କୁଳ ବଡ଼ ଦୁଃଖ,
ନ ଜାଣଇ ଯୋଗୀ ଖରା ଓ ବରଷା
ବୁଲି ମାଗୁଥାଇ ଭିକ।
ତୁହି ଯୋଗୀ ଘର ଗଲେରେ କୁମର
ମୋହର ପରମ ସୁଖ,
ଚାରି ଯୁଗେ ବଳା ହେବୁରେ ଅମର
ଚାହିଁଥିବି ତୋର ମୁଖ ।

 

ଯଶୋବନ୍ତ ଦାସ

ଯଶୋବନ୍ତ ଦାସ ଓଡ଼ିଶାରେ ଜନ୍ମିତ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଓ ଭକ୍ତକବି ଥିଲେ ଓ ଓଡ଼ିଆରେ ପୁରାଣ ରଚନା କରିବାରେ ଅନ୍ୟତମ ଥିଲେ । ସେ ଅନେକ ଭକ୍ତି କବିତା ରଚନା କରିଥିଲେ । ଯଶୋବନ୍ତ ଓଡ଼ିଆ ସାହିତ୍ୟର ପଞ୍ଚସଖା (ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଅନନ୍ତ ଦାସ, ଯଶୋବନ୍ତ ଦାସ)ଙ୍କ ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ ଓ ସେମାନଙ୍କ କାଳରେ ଅନେକ ଓଡ଼ିଆ ଭକ୍ତି ସାହିତ୍ୟର ସୃଷ୍ଟି ହୋଇଥିଲା । ତାଙ୍କ ରଚନାଗୁଡ଼ିକ ମଧ୍ୟରେ ‘ଟୀକା ଗୋବିନ୍ଦ ଚନ୍ଦ୍ର’, ବଣଭୋଜି, ‘ଶିବ ସ୍ଵରୋଦୟ, ‘ପ୍ରେମଭକ୍ତି’, ‘ବ୍ରହ୍ମ ଗୀତା’ ଆଦି ଅନ୍ୟତମ।

You may also like...