ଶମ୍ଭୁକର ବାଜପେୟୀ

କି ଭାଷାରେ ଦେବ, ଆମନ୍ତ୍ରିବି ତବ
ସ୍ଵର୍ଗୀୟ ଆତ୍ମାକୁ ଆଜ?
ସୁଜ୍ଞାନୀ ଧାର୍ମ୍ମିକ ଗୋନ୍ତ୍ର ପ୍ରବର୍ତ୍ତକ
ହେ ଉତ୍କଳ-ଭରଦ୍ଵାଜ !
ତୁମ୍ଭ ବଂଶୋଭବ ବୋଲି ଗଉରବ
କରନ୍ତି ବିପ୍ର ଅନେକ,
ବର୍ଷ ଶତ ଶତ ହେଲେହେଁ ଅତୀତ
ଅଛି ତୁମ୍ଭ ନାମ ଟେକ ।
ବାଜପେୟ ଯାଗ କରି ମହାଭାଗ
ହେଲ ନିଜେ ପୂତପ୍ରାଣ,
ସ୍ମୃତି ତ୍ରୟୋଦଶେ ପ୍ରଚାରିଲେ ଦେଶେ
ବେଦ-ବିହିତ-ବିଧାନ ।
ଧର୍ମତତ୍ତ୍ଵେ ରତ ଥିଲେ ହେ ସତତ
ସାହିତ୍ୟ-ଶୋଭା-କାନନେ,
ମାନସ ମିଳିନ୍ଦ ତବ ମକରନ୍ଦ
ଚାଖି ଚଖାଇଲା ଜନେ ।
ରାଜ-ଅନୁଗ୍ରହ ରାଜ୍ୟ-ପ୍ରତିଗ୍ରହ
କରେ ବ୍ରହ୍ମତେଜ ନାଶ,
ମାନି ରାଜଦେଶ ତେଣୁ ତେଜି ଦେଶ
କଲ ଚିର କାଶୀବାସ ।
ତଥାପି ସ୍ଵଜନ ମମତା ବନ୍ଧନ
ହୃଦେ ଥିଲା ନିରନ୍ତର,
ତିରିଶି ବରଷେ ପେଷିଲ ସ୍ଵଦେଶେ
ଯୋଗ୍ୟ ସୁତ ବିଦ୍ୟାକର ।
ବିସ୍ମୃତି-ତାମସ କରଇ-ଗରାସ
ନର-କୀରତି-ନିଚୟ,
କିନ୍ତୁ ସାଧୁଭାବ ପବିନ୍ତ୍ର ପ୍ରଭାବ
ପାଏ ନାହିଁ କେବେ ଲୟ ।
ହେ ସମାଜ-ନେତା ତବ ସ୍ଵାଧୀନତା
ସ୍ଵଦେଶେ-ସୁଧର୍ମ-ପ୍ରୀତି,
ତେବେ କାହିଁ ଆଜି ସେ ଶକ୍ତି, ସେ ତେଜ
କିମ୍ପା ଏ ଘୋର ଅନୀତି ?
ହେ ଉତ୍କଳ ଆଦି ଋଷି ବ୍ରହ୍ମବାଦି,
କର ଏହି ଆଶୀର୍ବାଦ,
ପରକାଶୁ ତବ ପ୍ରଚ୍ଛନ୍ନ ପ୍ରଭାବ
ଘୁଞ୍ଚୁ ଜାତି-ଅବସାଦ ।

ଉତ୍କଳମଣି ଗୋପବନ୍ଧୁ ଦାସ

ଉତ୍କଳମଣି ଗୋପବନ୍ଧୁ ଦାସ (୧୮୭୭-୧୯୨୮) ଓଡ଼ିଆଙ୍କ ନିକଟରେ ଏକ ପରିଚିତ ନାମ । ଗୋପବନ୍ଧୁ ଓଡିଶାର ସାହିତ୍ୟ, ସାମ୍ବାଦିକତା, ରାଜନୀତି, ଶିକ୍ଷାବ୍ୟବସ୍ଥା, ଗଣଆନ୍ଦୋଳନ ସହିତ ସାମଗ୍ରୀକଭାବେ ଜଡିତ ଥିଲେ । ଗୋପବନ୍ଧୁଙ୍କ ଦ୍ବାରା ପ୍ରତିଷ୍ଠିତ ଦୈନିକ ସମ୍ବାଦପତ୍ର "ସମାଜ" ଓଡ଼ିଆ ସମ୍ବାଦପତ୍ର ଜଗତରେ ଏକ ପରିଚିତ ନାମ । ତାଙ୍କ ଲେଖାଗୁଡ଼ିକ ମଧ୍ୟରେ ବନ୍ଦୀର ଆତ୍ମକଥା, କାରା କବିତା ଓ ଅବକାଶ ଚିନ୍ତା ଆଦି ସଙ୍କଳନ ଓଡ଼ିଆ ପାଠକମାନଙ୍କ ନିକଟରେ ବେଶ୍ ପରିଚିତ ଏବଂ ପଠିତ ପୁସ୍ତକ ଅଟେ ।

You may also like...