ଶେଫାଳି ପ୍ରତି
ଶେଫାଳି !
କେଉଁ ଦୂର ତରୁବରେ ଫୁଟିଅଛୁ ଗୋପନେ,
ଭୁରୁଭୁରୁ ଗନ୍ଧ ତୋର ଭାସି ଅସେ ପବନେ;
ବାତାୟନ ପାଶେ ବସି ଚାହେଁ ନବୋଦିତ ଶଶୀ
ହସି ହସି ସତେ ଉଇଁଆସେ ଦୂର ଗଗନେ,
ଭବାବେଶେ ମୁଗ୍ଧ ମୁଁ କି ମଜ୍ଜିଅଛି ସ୍ବପନେ !
ଭାବରାଜ୍ୟେ ବୁଲେଁ ସତେ ହଜିଅଛି ଚେତନା,
ଅନନ୍ତ ଅନନ୍ତ ରାଜ୍ୟେ ପୂରିଅଛି କଳ୍ପନା;
ବିଶାଳ ଏ ବିଶ୍ବକ୍ଷେତ୍ରେ ଅର୍ଦ୍ଧନିମୀଳିତ ନେତ୍ରେ
ଦେଖେଁ ସତେ ଶୋଭାରାଶି ପଡୁଅଛି ଉଛୁଳି,
ତହିଁ ସୁଧା ଢାଳୁ କିରେ ଗନ୍ଧେ ଗଙ୍ଗଶିଉଳି ?
ଶରଦ ଦିନାନ୍ତେ ବସି ବାତାୟନ ପାଶରେ
ବୁଡ଼ିଅଛି ମନ ମୋର କିବା ପ୍ରେମ ରସରେ,
ଆବେଶେ ପୁଲକେ ମୋର ନୟନରୁ ବହେ ଧାର,
ହୃଦତନ୍ତ୍ରୀ ବାଜିଉଠେ କି ଅମୃତ ସୁସ୍ବରେ,
ନିମିଷେ ଭାବଇଁ ମୁଁ ତ ଅଛି ଅବା ସ୍ବର୍ଗରେ !
ସାରାଦିନ ପରିଶ୍ରମ କ୍ଳେଶ କ୍ଳାନ୍ତି ଅଶେଷ,
ନାନା ଚିନ୍ତା ରୋଗ ଶୋକ କଷ୍ଟ ଦେଲା ବିଶେଷ;
ଯହୁଁ ରବି ଅସ୍ତାଚଳେ ଧୀରେ ଧୀରେ ଢଳିଗଲେ,
ସନ୍ଧ୍ୟାଗାଥା ଗାଇ ପକ୍ଷୀ ଫେରିଲେ ସ୍ବସଦନେ,
ତମୋରାଶି ବୋଳିଦେଲା ନିଶା ଧରା ଆନନେ ।
ନୀଳ ନଭ ମଣ୍ଡି ଧୀରେ ହସି ଦୀପ୍ତଲୋଚନେ
ଦେଖା ଦେଲେ ଶତ ଶତ ତାରା ଜ୍ୟୋତିବସନେ;
ଅଙ୍ଗେ ବୋଳି ସୁଧାରାଶି ଶଶାଙ୍କ ଉଇଁଲା ଆସି,
ଝରି ଝରି ପଡ଼ିଲା କି ଭୁବନରେ ଅମୃତ,
ସତେ କି ଧରଣୀରାଣୀ ଦୁଃଖ ହେଲା ବିସ୍ମୃତ !
ରବି ବିରହରେ ଧନୀ କାନ୍ଦିଥିଲା ମଉନେ
ଅନ୍ଧକାରେ ନତ ନେତ୍ରେ ବିଷାଦିତ ବଦନେ,
ଚାନ୍ଦ କି ଆସିଲା ଉଇଁ ଚାନ୍ଦିନୀ ଚୁମ୍ବିଲା ଭୂଇଁ
ହସିଲା କି ବସୁମତୀ ଚାରୁ ଶୁଭ୍ର ଦୁକୂଳେ,
ଫୁଟିଲୁ ଶେଫାଳି ରହି ତୁ କି ପ୍ରେମଆକୁଳେ !
ଶେଫାଳି !
ମୃଦୁ ମୃଦୁ ଗନ୍ଧ ତୋର ଭାସିଆସେ ପବନେ,
ଛନ ଛନ ପ୍ରାଣ ମୋର କି ଆକୁଳ ଗୋପନେ !
ସତେ ମୋର ଦୁଃଖରାଶି କ୍ଷଣେ କାହିଁ ଗଲା ଭାସି,
କେତେ କି କଳ୍ପନା ମନେ ଆସୁଅଛି ବିଜନେ,
କ୍ଷଣେ ପହଞ୍ଚିଲି ସତେ ଯାଇଁ ସ୍ବର୍ଗଭୁବନେ !
ଶେଫାଳି !
କ୍ଷୁଦ୍ର ତୋର ତନୁ, ତହିଁ ଭରା ଏତେ ଅମୃତ,
ବିହିଲୀଳା କେ ବୁଝିବ, ଜ୍ଞାନାତୀତ ଅଦ୍ଭୁତ !
ଗୋପନେ ଫୁଟିଛୁ ଦୂରେ ତରୁପତ୍ର ଗହଳରେ,
ତଥାପି ତୋ ବାସେ ମୋର ପ୍ରାଣ ହୁଏ ଆକୁଳ,
କହ କେଉଁ ଶିଳ୍ପୀ ତୋତେ ଗଢ଼ିଅଛି ରେ ଫୁଲ !
କି କୋମଳ କି ଲଳିତ କି ମଧୁର ସୁରଭି,
କର୍କଶ କୁତ୍ସିତ ପତ୍ରେ ଶୋଭେ କିନ୍ତୁ ଅଟବୀ;
ରୁକ୍ଷ ପତ୍ରରାଶି କୋଣେ ଫୁଲ ଫୁଟୁ ଏତେ ଗୁଣେ,
ଲୁଚି ଲୁଚି ବାସେ ତାର ମୁଗ୍ଧ କରୁ ସଂସାର,
ନୀଚ ମଧ୍ୟେ ଉଚ୍ଚ ସୃଷ୍ଟି ବିଧାତାର ବିଚାର ।
ପଙ୍କେ ପଦ୍ମ ଗଢ଼ିଅଛି ବିଧାତା କି ଯତନେ,
ଶାମୁକା ଗରଭେ ନିହିଅଛି ମୁକ୍ତା ରତନେ,
କଳାମେଘ କଳେବର ସୌଦାମିନୀ ଶୋଭା ଧରେ,
କଳା କୋକିଳ କଣ୍ଠରେ ପୂରିଅଛି ପୀୟୁଷ,
ତୁଚ୍ଛ ଭବେ ନୁହେଁ କିଛି, କ୍ଷୁଦ୍ର ତୋର ସଦୃଶ ।
ଶେଫାଳି !
ମନେ ମନେ ରୂପ ତୋର କଳ୍ପନାରେ ଆସେ କି,
ଭାବି ଭାବି କଥା ତୋର ଉଲ୍ଲାସରେ ଭାସେ କି ?
ଏକ ରାତ୍ରି ପାଇଁ ଫୁଟି ସୁବାସେ ଯାଉଛୁ ଲୋଟି,
କ୍ଷୁଦ୍ର ତୋର ଜୀବନରେ ସୁମହତ ବିକାଶ,
କ୍ଷୁଦ୍ର ବୋଲି ମୁହିଁ କିମ୍ପାଁ ହୋଇବି ରେ ନିରାଶ ?
ଶେଫାଳି !
କ୍ଷୁଦ୍ର ମୁହିଁ ଦୀନ ମୁହିଁ ରେଣୁକଣା ଜଗତେ,
ଚାହିଁଲେ ବିଶାଳ ବିଶ୍ବ ଆସୁଛି କି ପରତେ ?
କ୍ଷୁଦ୍ର ହେଲେ ସୁଦ୍ଧା ମୁହିଁ ଅକାରଣେ ଜନ୍ମିନାହିଁ,
ଅନନ୍ତ ବିନାଶ ମୋର ଲେଖାନାହିଁ କପାଳେ,
ଏକ ରାତି ପାଇଁ ଫୁଟି ଝଡ଼ିଯିବି ସକାଳେ !
ଶେଫାଳି !
ନିତି ପ୍ରାତେ ଦେଖେଁ ପଡ଼ିଅଛୁ ତରୁମୂଳରେ,
ଢଳ ଢଳ ହିମବିନ୍ଦୁ ଶୋଭେ ଶୁଭ୍ର ଦଳରେ,
ସ୍ଫୁଟିକେ ପ୍ରବାଳ ପରା ଗଠିତ ତୋ ତନୁ ତୋରା,
ମନୋନ୍ମାଦକର ତହିଁ ପୂରିଅଛି ସୁବାସ,
କି କୋମଳ କି ଲଳିତ କି ମୋହନ ବିକାଶ !
କି ଯତନେ ଆହରି ମୁଁ ଗୁନ୍ଥେ ମାଳା ଆଦରେ,
ପୁଲକିତ ପ୍ରେମସ୍ପର୍ଶେ ଦୋଳାଏଁ ମୋ କଣ୍ଠରେ,
ଧୀରେ ପରଶି ଅଧରେ କେତେ ମୁଁ ତୋତେ ଆଦରେ
କି ବୁଝିବୁ ପ୍ରାଣହୀନ, ଆକୁଳତା ମୋହର,
କେତେ ପ୍ରେମ କରେଁ ତୋତେ ଗୋପନେ ମୋ ଅନ୍ତର ?
ଶେଫାଳି !
କହେଁ ତୋ ଆଗରେ ସବୁ, ତୁ କି ବନ୍ଧୁ ଜୀବିତ ?
ହେଲେ ମୋ ହୃଦୟ ଶତ ବେଦନାରେ ବ୍ୟଥିତ,
ଆପଣା ମନେ ମୁଁ ଭାଷେଁ ତୋତେ ଶୁଣାଇବା ଆଶେ,
ଶୁଣୁ କି ନ ଶୁଣୁ ଏକା ଜାଣୁ ତୁହି ସୁମନ,
ବୁଝୁ କି ନ ବୁଝୁ ମୋର ଶତ ପ୍ରୀତି-ବଚନ ।
କହି କହି କିନ୍ତୁ ମୁହିଁ ଲଭେଁ ପ୍ରାଣେ ଆରାମ,
ତୋ ବୁଝିବା ନ ବୁଝିବା ମୋର ପକ୍ଷେ ସମାନ,
କହୁଥିବି ଦିବାରାତି, ପ୍ରାଣେ ତ ଲଭିବି ଶାନ୍ତି,
ତୋ ଉଦ୍ଦେଶେ ଆରେ ଫୁଲ ମୋ ପ୍ରାଣର ଏ ବ୍ୟଥା,
ତୁ ନ ଶୁଣୁ, ଆଉ ଜଣେ ଶୁଣିବ ତ ମୋ କଥା ।
ଶେଫାଳି !
ମୋ ଜୀବନ ଶେଷ କାଳେ ପଡ଼ିବି ତ ମୁଁ ଝରି,
ତୋଳିନେବ ନାହିଁ କି ସେ ମୋତେ ଯତ୍ନେ ଆହରି ?
ମୋର ଆତ୍ମାଫୁଲ ଚାରୁ ଚରଣେ ଦଳିବାଠାରୁ
ତାର ପ୍ରିୟ ନିକେତନ ସଜାଇବ ନେଇ ସେ,
ତୋଷିବ ପ୍ରାଣଟି ମୋର କେତେ ପ୍ରେମ ଦେଇ ସେ ।
ଶେଫାଳି !
ତୋହ ପରି କ୍ଷୁଦ୍ର ମୁହିଁ, ତୋହ ପରି କ୍ଷଣିକ,
ହସେ ବାସେ ରସେ ମାତ୍ର ଫୁଟିଅଛି ଘଡ଼ିକ;
ମାଟିରେ ମିଶିବୁ ତୁହି, ମାଟିରେ ମିଶିବି ମୁହିଁ,
ତଥାପି ମୋ ଆତ୍ମାଫୁଲ ନ ଯିବ ରେ ମଉଳି,
ତେଣୁ ଆଶା ବହି ଦିନ କାଟେଁ ଗଙ୍ଗଶିଉଳି !
ଶେଷ ଗତି ନୁହେଁ ମୋର ମୃତ୍ୟୁ କେଉଁକାଳରେ,
ମରିବାକୁ ଫୁଟିନାହିଁ ଭବତରୁ ଡାଳରେ;
ଅଛି ରମ୍ୟ ଉପବନ ଯହିଁ ଫୁଟି ଚିରଦିନ
ଅନନ୍ତ ଅମୃତ ପ୍ରେମ ସୁଧାମୟ ସୁବାସେ
ମୋହିବି ମୋ ପ୍ରାଣପ୍ରିୟ ଦେବତାଙ୍କୁ ଉଲ୍ଲାସେ ।
ଶେଫାଳି !
ମୃଣ୍ମୟ ଶରୀର ତୋର ଏଡ଼େ ଚାରୁ ଶୋଭିତ,
ନ ଜାଣେ ମୋ ଆତ୍ମାଫୁଲ କି ସୌନ୍ଦର୍ଯ୍ୟେ ଚିତ୍ରିତ,
ତୁ ଯଦି ମୋ ନେତ୍ରେ ପ୍ରିୟ, ତାଙ୍କ ନେତ୍ରେ ହେବି ହେୟ
ମୁଁ କି କେଉଁକାଳେ, ମୋର ନ ହୁଏ ତ ବିଶ୍ବାସ,
ଫୁଟିବି ମୁଁ ଚିରଦିନ, ନ ହେବ ମୋ ବିନାଶ ।