ଜୀବନ ସଙ୍ଗୀତ
by
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର
·
15th January 2017
ମୋର ସକଳ ଗର୍ବ ଚୂର୍ଣ୍ଣ କରିଛ, ସବୁ ତ ନେଇଛ ଛଡ଼ାଇ,
ଆଶାର ତୁଙ୍ଗ ଶିଖରୁ ଖସାଇ ଧୂଳିରେ ଦେଇଛ ଗଡ଼ାଇ,
ସବୁଥିରୁ କରି ନିଃସ୍ବ
ଶିଖାଇ ଦେଇଛ ଆପଣାର ବୋଲି
ମଣିବାକୁ ସାରା ବିଶ୍ବ;
ଅଭାଗା ହାତରେ ଅମୂଲ୍ୟ ସମ୍ପଦ ଆପେ ଦେଇଅଛ ବଢ଼ାଇ |
ଏ କି ପ୍ରେମ, ଏ କି ଛଳନା,
ଏ କି ପରିହାସ ଅବା କଉତୁକ
କରି ନ ପାରିଲି କଳନା;
ସେଥିପାଇଁ ଯେବେ ଏତେ ଅନୁରାଗ
ମିଳିଲା ନାହିଁ କି ଆଉ କିଛି ବାଗ,
(ଏଣେ) ଛୁତି ଛଡ଼ା ହୋଇ ନାଟ ଦେଖୁଅଛ
(ତେଣେ) ଲଗାଇ ଦେଇଛ ଲଢ଼ାଇ |
Tags: LiteratureOdiaPoemକାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଜୀବନ ସଙ୍ଗୀତ
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (୯ ଡିସେମ୍ବର ୧୮୮୮- ୨୪ ଫେବୃଆରୀ ୧୯୫୩) ଜଣେ ବିଖ୍ୟାତ କବି ଥିଲେ । ସେ ଓଡ଼ିଶାର ଭଦ୍ରକ ଜିଲ୍ଲାରେ ଜନ୍ମ ନେଇଥିଲେ । ଓଡ଼ିଶାର ରାଜ୍ୟ ଗାନ ବନ୍ଦେ ଉତ୍କଳ ଜନନୀ ତାଙ୍କର ଏକ ବିରଳ କୃତି ।
ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚନାରେ ଦେଶ ଓ ଜାତିପ୍ରେମର ଝଲକ ଦେଖିବାକୁ ମିଳିଥାଏ । ସେ ପ୍ରାୟ ଶହେରୁ ଊର୍ଦ୍ଧ୍ଵ ଭକ୍ତି କବିତା ରଚନା କରିଥିଲେ ।
ତାଙ୍କର ରଚିତ କବିତା ମଧ୍ୟରୁ କିଛି ଜଣାଶୁଣା କବିତା ହେଲା:
ବନ୍ଦେ ଉତ୍କଳ ଜନନୀ
ପ୍ରଳୟ ଦୁନ୍ଦୁଭି
ଉନ୍ମାଦ
ଆର୍ଯ୍ୟ ବାହିନୀ
ବିଜୟବନ
ଜାତୀୟ ପତାକା
ସମର ସଙ୍ଗୀତ
ଏ ଦେଶ
ସେ ତାଙ୍କର ଅସମ୍ପୂର୍ଣ୍ଣ ଉପନ୍ୟାସ 'କଣାମାମୁଁ' ଓ କ୍ଷୁଦ୍ରଗଳ୍ପ 'ବୁଢା ଶଙ୍ଖାରୀ' ପାଇଁ ଓଡ଼ିଶାର ଘରେ ଘରେ ପରିଚିତ ।
You may also like...