ବାକ୍ୟବୀର ଓ କର୍ମବୀର
ଭେକ ଗରଜିଲେ ଆସଇ ବରଷା
ଜଳଧାରେ ମହୀ କରେ ପ୍ଳାବିତ,
ବାକ୍ୟବୀର ଡାକି କରଇ ଭରସା
କର୍ମବୀର ଥିବ ବୋଲି ଜୀବିତ |
ମରୁଦେଶେ ଭେକେ ଗରଜଇ ନାହିଁ
ନୀରଦ ସେ ଦେଶେ ନ ଦିଏ ନୀର,
କର୍ମବୀର କର୍ମ- କୁଣ୍ଠିତା ନ ଚାହିଁ
ନ ଡାକନ୍ତି କେବେ ବଚନବୀର |
ହେଲେ ବିଦ୍ୟୁଲ୍ଲେଖା ଗର୍ଜନ ଭୀଷଣ
ଜଣାଯାଏ ମେଘ ବର୍ଷିବ ଜଳ,
ତେଜସ୍ଵିନୀ ଲେଖା ସୁତୀବ୍ର ଭାଷଣ
କର୍ମବୀରଠାରେ ନୁହେ ନିଷ୍ଫଳ |
କୋକିଳ ଭାଷିଲେ ରସାଳ ପାଚଇ
ଭୁଞ୍ଜନ୍ତି ତା ସୁଖେ ଜଗତ-ଜନ,
କାକ୍ୟେ କର୍ମବୀର ଶକ୍ତି ସଞ୍ଚରଇ
ତେବେ କରେ ଲୋକହିତ ସାଧନ |
କାକ ଡାକ ଶୁଣି ଉଠଇ ମାନବ
କର୍ମେ ରତ ହୁଏ ତେଜି ପଲ୍ୟଙ୍କ,
ଚକ୍ଷୁ ଖୋଳି କାକ ଖାଇଲେହେଁ ଶବ
ପକାଇ ପାରଇ ନାହିଁ ପଲକ |
ଉତ୍ତେଜିତ ଲୋକ ହୁଏ ଉପଦେଶେ
ଧନ ପଣ ତହିଁ ହୁଅନ୍ତି ଚାଳି,
ନ ଥାଏ ପୁରୁଷ- କାର ଯେଉଁ ଦେଶେ
ସହି ନେଇଥାଏ ସହସ୍ର ଗାଳି |