ଗାଁ ଡାକୁଛି ଆସ
ନଭଶ୍ଚୁମ୍ଭି, ଚାକଚକ୍ୟ ଦେଇଛି ଜୀବିକାର ମନ୍ତ୍ର
ହରଣ କରିନେଇଛି ଜୀବନୀୟ ହୃଦୟ ତନ୍ତ୍ର
ମିଥ୍ୟା-ଦଙ୍ଗା ରାହାଜାନୀର କୁରୁସଭା ଇଏ
ନିରୀହ ଜୀବନ ‘କୃଷ୍ଣା’ ନିତି ଲାଞ୍ଛିତା ହୁଏ ।
ଭୁରି ଭୋଜନରେ ପୂରେନା ଉଦର
ଖାଲି ଅର୍ଥାଗମରେ ସଦା ତତ୍ପର….
ଭୁଲି ଅଳିକ ଜୀବନର ବ୍ୟବହାର
ନିରସ ଏଠି ପାର୍ବଣ..
ବାସ୍, କେବଳ କୋଳାହଳ-ଦୂଷିତ ବାତାବରଣ….
ଅଗଣିତ ଯମଦ୍ୱାର ଏଠି
ମରୀଚିକାର ଲୋଭନୀୟ ବିଚିତ୍ର ଗାତ୍ର….
ଅତ୍ର….ତତ୍ର….ସର୍ବତ୍ର…..!!!
ଅହର୍ନିଶ ଡାକୁଛି ମା’.. ସନ୍ତାନକୁ ପରଷିବ ବଞ୍ଚିବାର ରାହା…
କେହି ତ’ ଜଣେ କହିଦେବ ଆହାଃ..!!
ଡାକୁଛି ଓଷା..
ପୁନେଇଁ.. ପରବେ.. ସ୍ନେହାର୍ଦ୍ର ନିଶା…
ଚାଲ… ସେଇ ଶ୍ରାନ୍ତ ଗୋଧୂଳି ବେଳାରେ…
ଫେରିଯିବା ଆତ୍ମୀୟ ଚୌହଦୀକୁ
ମାଟି ସାଥିରେ ପାଲଟିବା ମାଟିର ମଣିଷ
ଶାପମୁକ୍ତ ହେବ ସବୁ ଯନ୍ତ୍ର-ମଣିଷ
ଶେଷରେ ଛାଡ଼ି ଶାନ୍ତିରେ ନିଃଶ୍ବାସ
ମାଟି କୋଳରେ ପାଇବା ଟିକେ ଆଶ୍ୱାସ….!!!