ବୈଦେହୀଶ ବିଳାସ (ଚତୁର୍ଥ ଛାନ୍ଦ)
ବୁଦ୍ଧି ଉତ୍ତମ ଯାହାର ବାକ୍ୟ ଅଭିଧାନେ
ବୁଦ୍ଧି ଉତ୍ତମ ଯାହାର କାବ୍ୟ ଅଭିଧାନେ ।
ବୃଜିନନାଶ ଚରିତ ଶୁଣ ସାବଧାନେ ହେ ।୧।
ବୃଷ୍ଟିହୀନ ଦ୍ୱାଦଶ ବରଷ ଚମ୍ପାବତୀ ।
ବଡ ଚିନ୍ତା ଲଭି ଲୋମପାଦ ନରପତି ଯେ ।୨।
ବରଷା କରିବ ଋଷ୍ୟଶୃଙ୍ଗ ଆଗମନେ ।
ବ୍ରହ୍ମଜ୍ଞାନ ପରି ଘେନି ଯୋଗୀନ୍ଦ୍ର ସମାନେ ଯେ ।୩।
ବୁଲାଇ ନିଜ ନବରେ ପଞ୍ଚରତ୍ନସ୍ଥାଳୀ ।
ବଜ୍ର ଧରି ଶତମନ୍ୟୁ ପରାୟେ ସେ ଝଳି ଯେ ।୪।
ବିକାଶରେ ପଦ୍ମରାଗ ସବିତା ପ୍ରତିଭା ।
ବହିଛି ସେ ମାରକତୀ ହୋଇ ରତି ଶୋଭା ଯେ ।୫।
ବିଦୃମେ ମହାଉଜ୍ଜ୍ୱଳ ଅଟବୀ ସଦୃଶ ।
ବହି ଗର୍ଭେ ମୋତି ଶୁକ୍ତି, ଏ ତ୍ରିବିଧ ଶେଷ ଯେ ।୬।
ବେଶ୍ୟାସାର ଜରତା ତ ରତା ହୋଇ ନେଲା ।
ବନୁଁ ଆଜନ୍ମତପସ୍ୱୀ ଆଣିବି ବୋଇଲା ଯେ ।୭।
ବୃଷଭ ଗୋଡ଼ାଇ ଧେନୁ ପଛରେ ଯେମନ୍ତ ।
ବେଦାଧ୍ୟୟନ ଛଡାଇ ଆଣିବି ତେମନ୍ତ ଯେ ।୮।
ବର୍ଦ୍ଧକୀ ଡକାଇ ସଜଡ଼ାଇ ଦିଅ ନାବ ।
ବେଶ୍ମ ପରି ମହାମନୋରମ ହୋଇଥିବ ଯେ ।୯।
ବିବିଧ ପଦାର୍ଥ ଭର୍ତ୍ତି କରିଦିଅ ତହିଁ ।
ବନ ଉଚନାହିଁ ହୋଇଥିବ, ଭୁପେ କହି ଯେ ।୧୦।
ବଚସ୍କର ନୃପତି ସାମନ୍ତେ ଭୃତ୍ୟପରି ।
ବାର ବାରନାରୀ ଗଲେ ଅନୁକୁଳ କରି ଯେ ।୧୧।
ବସିଲେ ତରଣୀ ଅଙ୍କେ ଛାୟା ପରା ହୋଇ ।
ବିରାଜିବା ପୁଷ୍କର ଗମନେ ସେ ଯୋଗାଇଲା ଯେ ।୧୨।
ବିଖ୍ୟାତ ଉଡପ ନାମ ଯୁକ୍ତ ତାରାଳିରେ ।
ବ୍ୟଗ୍ରବନ୍ତ ଗତି କରେ ନିଶି ଦିବସରେ ଯେ ।୧୩।
ବେନିକୁଳେ ମହାରଣ୍ୟ ସତ୍ୟବାକେ ହୀନ ।
ବିଘନ ପଶୁ ସମୁହେ ସତ୍ୟବାକେ ପୁର୍ଣ୍ଣ ଯେ ।୧୪।
ବାଜୀ-ଗମ୍ୟ ସ୍ଥାନ ନୋହେ ସର୍ବ ସମୟରେ ।
ବାଜୀରାଜୀ କ୍ରିଡ଼ା କରେ ବିଗତଭୟରେ ଯେ ।୧୫।
ବିଶ୍ରାମ ଆଶ୍ରମ କେତେଦୁରେ ନାବ କରି ।
ବାମାକ୍ଷୀ କାମମୋହିନୀ ଘେନି ବାରନାରୀ ଯେ ।୧୬।
ବାହାରେ ରଖି ଜରତା ଚାମରକେଶୀକି ।
ବିଲୋକି ଏମନ୍ତ ବନ, ଏମନ୍ତ ଋଷିଙ୍କି ଯେ ।୧୭ ।
ବିପର୍ଯୟ ପଲାଶିରେ ପଲାଶୀରେ ଘନ ।
ବିନାତପ ପ୍ରଭାତପ ପ୍ରଭାରେ ପ୍ରଧାନ ଯେ ।୧୮।
ବିଭୁତି ବାଞ୍ଛକ ନୋହି, ବିଭୁତି ବାଞ୍ଛକ ।
ବର୍ଜିତ କାମ ଉଦୟ, କାମ ଉଦୟକ ଯେ ।୧୯।
ବଲ୍ଲରୀ ଅନ୍ତରେ ଯାଇଁ ଆରମ୍ଭିଲେ ଗୀତ ।
ବଲ୍ଲକୀ ବଜାଇ କଲେ ସପ୍ତସ୍ୱର ଜାତ ଯେ ।୨୦।
ବିଚାରି ରାଗ ସରାଗ ମୁନିର ଜନ୍ମାଉଁ ।
ବୃଦ୍ଧି ପଞ୍ଚଶରକୁ ପଞ୍ଚମସ୍ୱର ଦେଉଁ ଯେ ।୨୧।
ବିଟପୀକି ମୁନିମଣି ଆଉଜି ଯେ ଥିଲେ ।
ବିଟପୀଙ୍କି ମୁନିମଣି ସମ୍ଭାବନା କଲେ ଯେ ।୨୨।
ବସାଇ ଆସନେ ପୁଚ୍ଛେ କାହିଁ ତପିଗଣ ।
ବସ ମଠ କରି, କହ ମଠ ନ କରିଣ ହେ ।୨୩।
ବଖାଣ କି କି ମନ୍ତ୍ରକୁ ଜପ କରି ଜାଣ ।
ବିଷ୍ଣୁ ଶିବ ସେବା କାହାଭାବରେ ନିପୁଣ ହେ?୨୪।
ବିକାଶି ହାସ କଟାକ୍ଷ ଢାଳିଣ ରସିକା ।
ବୋଇଲେ ଗେଲାଲ ହୋଇ ଫୁଲାଇ ନାସିକା ଯେ ।୨୫।
ବନେ ତୁମ୍ଭେ ଭ୍ରମ, ଆମ୍ଭେ ବନୀରେ ବିଳସୁଁ ।
ବନୌକା ତୁମ୍ଭେ, ବନିତା ଆମ୍ଭେଟି ଏ ବଶୁ ଯେ ।୨୬।
ବୋଲିବାର ରାମମନ୍ତ୍ର ଆଦ୍ୟବର୍ଣ୍ଣ ଭିନ୍ନ ।
ବିସର୍ଗ ଚତୁର୍ଥ ବର୍ଣ୍ଣ ଏକ କରି ଘେନ ଯେ ।୨୭।
ବସନ୍ତି ଆମ୍ଭ ଦେବତା ଶମ୍ଭୁ-ହୃଦସ୍ଥଳ ।
ବକ୍ଷେ ରୁହ ଉରେ ଯୋଡି ଶୀଘ୍ରେ କଲା କୋଳ ଯେ ।୨୮।
ବିଭୂତି ଆମ୍ଭ ଦେଶର ବୋଲି ତତପର ।
ବୋଳିଦେଲା ଚୂରି କାମମୋହିନୀ କର୍ପୁର ଯେ ।୨୯।
ବାସାନ୍ତର କରି ଋଷି ଦେଖୁଁ ପୟୋଧର ।
ବୋଇଲେ ହେ ହର ହର! ମୋତେ କୃପା କର ହେ ।୩୦।
ବିଲୀନ ବେନି ଅର୍ଥକୁ ବିହୁଁ ସେ ବଚନେ ।
ବଧାନ କଲା ମୁଖରେ ଚୁମ୍ବନେ ଚୁମ୍ବନେ ଯେ ।୩୧।
ବନୀପଳ କହି ପକ୍ୱ କଦଳୀ ଭୁଞ୍ଜାଇ ।
ବାଣ ପୟଃପେଟି ପୟଃ ପାନ ସେ କରାଇ ଯେ ।୩୨।
ବୋଧି ଚିତ୍ତ ଏ ଆମ୍ଭ ନିର୍ଝର ନୀର କହି ।
ବୃଷ୍ୟକ ରୀ କାମରାଜ ଅଧାମ୍ଭ ପୂରାଇ ଯେ ।୩୩।
ବାଢିଲେ ଯେ ଘୃତପକ୍ୱ ଅମିକ୍ଷା ଅଗ୍ରତେ ।
ବର୍ଣ୍ଣ ପୁଚ୍ଛେ କି, ଭୋଜନ କର ସେ ବୋଲନ୍ତେ ଯେ ।୩୪।
ବିପ୍ର ତୁମ୍ଭେ, ଆମ୍ଭେ ଯାହା ବୋଲାଉଁ ତା ଶୁଣ ।
ବିପ୍ରଲବ୍ଧା ଘେନି ଅଷ୍ଟ ଜାତିରେ ନିପୁଣ ।୩୫।
ବାଳିକାଏ ବୋଲୁଁ ମୂନି ଭୁଞ୍ଜି ସ୍ୱାଦ ପାଇ ।
ବଟୁ!ତୁମ୍ଭ ତମ ଧନ୍ୟ ବୋଲି ପ୍ରଶଂସଇ ଯେ ।୩୬।
ବଟୁ ଯାହା ହୋଇଲ ପ୍ରମାଣ ଅନୁସ୍ୱାରେ ।
ବାତ୍ସ୍ୟାୟନଶାସ୍ତ୍ର ପଢା ଗୂରୁ ଛନ୍ତି ଦୂରେ ଯେ ।୩୭।
ବେଳାସ୍ତ ହେବାର ଜାଣି, ମେଲାଣି ହେଲୁଟି ।
ବାର ମୂଖେ ଭାଷି ଉଠୂଁ, ଗଲେ ସେ ପାଛୋଟି ଯେ ।୩୮।
ବାଟେ ରହି ରହି କହି ଗଲେ ବାରାଙ୍ଗନା ।
ବାହୁଡିବା ହେଉ ଆମ୍ଭେ କାଲି ଆସୁଁ ସିନା ଯେ ।୩୯।
ବିହ୍ୱଳିତ ଆସିବାରେ କରାଇ ନିୟମ ।
ବାହୁଡିଲେ ଋଷ୍ୟଶୃଙ୍ଗ ଆପଣା ଆଶ୍ରମ ଯେ ।୪୦।
ବହିତ୍ରପ୍ରତିମ ନାବେ ପ୍ରବେଶ ନାଗରୀ ।
ବ୍ୟବସାୟ ଚୟ କହି ବ୍ୟବସ୍ଥିତ କରି ଯେ ।୪୧।
ବିଭାଣ୍ଡକ ଆସି ପୁଚ୍ଛେ ଜାନୁରେ ବସାଇ ।
ବିଷାଣ-ଋଷ୍ୟ ଅଙ୍ଗରୁ ସୂବାସକୁ ପାଇ ଯେ ।୪୨।
ବକତା ସକଳ କଥା,କିତବେ ଭାଷିତ ।
ବିଭାବରୀ-ଚରୀ ସେ ଭକ୍ଷନ୍ତି ତପିସୁତ ଯେ ।୪୩।
ବ୍ୟବହାର କଲେ ନିଶ୍ଚେଁ ତାହାଙ୍କ ସଙ୍ଗରେ ।
ବାବୁ ହେବୁ ଅଗ୍ନି ପ୍ରୀତି ପତଙ୍ଗ ପ୍ରକାରେ ଯେ ।୪୪।
ବିରୋଧୋକ୍ତି ଜନକର ନ ଘେନିଲେ ଲବ ।
ବୁଜିଲେ ନେତ୍ର ସ୍ବପନେ ଦେଖେ ସେହି ଭାବ ଯେ ।୪୫।
ବିଭାବରୀ ଅନ୍ତ ତାତ ତପସ୍ଥାନେ ଗତ ।
ବଶ କରିଥିଲେ ରାମା ଛନ୍ନ ମୂନିସୁତ ଯେ ।୪୬।
ବିପ୍ରଲମ୍ବ ଶୃଙ୍ଗାର ଯେ ଉଦୟ ମାନସ ।
ବାଞ୍ଛେ ପୁନଃ ପୁନଃ ରାମା ଚୁମ୍ବନ ଆଶ୍ଳେଷ ଯେ ।୪୭।
ବାରବାର ଆଶ୍ଳେଷରେ ନ ଆସେ ଚୂଂକାର ।
ବନପ୍ରିୟ ଡାକୁଁ କର୍ଣ୍ଣ ଟେକଇ ସତ୍ୱର ଯେ ।୪୮।
ବାହ ପ୍ରାୟ ଗତି କରି ପୁଣି ଲେଉଟଇ ।
ବାଳବର୍ଦ୍ଦ ଯଥା ଋତୁ ଧେନୁକୁ ଇଚ୍ଛଇ ଯେ ।୪୯।
ବଳାଧ୍ୱନି କରି ଘେନି ଝିଙ୍କାରି ଝଙ୍କାର ।
ବାତାୟୁ ଡାଳିଘଣ୍ଟିରେ ବଶ ପରକାର ଯେ ।୫୦।
ବିନ୍ଧିବା ଆରମ୍ଭି ଆଣୁ ମନୋଜ ପୁଳିନ୍ଦ ।
ବାଚାଳ ପ୍ରାୟ ଜନମ ହେଉଛି ଉନ୍ନାଦ ଯେ ।୫୧।
ବାଢିବାରୁ ବେଳୁଁ ବେଳ ପ୍ରେମନଦୀ ତହିଁ ।
ବୁଡୁ ନାହିଁ ଚେତା ତୃଣ ପରାୟ ଭାସଇ ଯେ ।୫୨।
ବିଳମ୍ବ କାହିଁକି ବେଗେ ଆସ ବେଗେ ଆସ ।
ବେଳ ବଳିଗଲେ ମିଥ୍ୟା ହେଉଛିଟି ଭାଷ ଯେ ।୫୩।
ବୋଲି ବୋଲି ଆଶ୍ରମ ପ୍ରାନ୍ତକୁ ସେ ଯେ ଗଲେ ।
ବୃକ୍ଷାରୁଢ଼େ ଆସିବାର ପଥ ନିରିକ୍ଷିଲେ ଯେ ।୫୪।
ବ୍ୟଥିତ ହେବାର ତପୋଧନ ପୁଣ୍ୟ ଆସି ।
ବରଚତୁରୀ ଦେଖନ୍ତି କୁଞ୍ଜୋଦରେ ପଶି ଯେ ।୫୫।
ବିସ୍ମୟ ଚିତ୍ତୁ ତେଜିଲେ ଚାହିଁ ବଶହେବା ।
ବାରଣ ପରିରେ ତରୀ ଟୋପେ ପକାଇବା ଯେ ।୫୬।
ବୋଧିଦୃମଦଳ ତୁଲ୍ୟ ତନୁଭୋଗ ଦେଇ ।
ବିତ୍ରୟ କରିବା ନୃପତିରେ ଧନ ପାଇ ଯେ ।୫୭।
ବାହାରିଲେ ପାଞ୍ଚି ତରୁଣୀଏ ଲତା ମଧ୍ୟୁଁ ।
ବିଲୋକି ପାଶେ ମିଳିଲେ ସେ ଆଜନ୍ମ ସାଧୂ ଯେ ।୫୮ ।
ବାହୁ ଛନ୍ଦାଛନ୍ଦି କାମମୋହିନୀ ସଙ୍ଗର ।
ବିକାର ଅଧିକେ ଚୁମ୍ବେ ପୁଲକ ସଂଚାର ଯେ ।୫୯ ।
ବୋଇଲେ ଜାରତା ଗୂରୁ ଲୋଭିନ ଦର୍ଶନେ ।
ବିଜେ କର ଥରେ ଉଟଜକୁ କୃପାମନେ ।୬୦ ।
ବ୍ରହ୍ମବଶ ରତିଶାସ୍ତ୍ର ତାଠାରୁ ଜାଣିବ ।
ବିହ୍ୱୋଳେ ସମ୍ମତ କରି ଚଳିଲେ ସେ ଜବ ଯେ ।୬୧ ।
ବିତ୍ରମି ନଉକାରେ ପ୍ରବେଶ ହେବା ଚାହିଁ ।
ବାରି ଭରି ଝରି ପାଦ ଧୋଇ ତୁମ୍ବୀ କହି ଯେ ।୬୨ ।
ବଳ୍କଳ ବୋଲି ପିନ୍ଧାଇ କୌଶେୟ ବସନ ।
ବ୍ୟାଘ୍ରଚର୍ମ ଭ୍ରମରେ ସିନ୍ଧୁଆ ଶସ୍ୟମାନ ଯେ ।୬୩ ।
ବିବିଧ ସ୍ୱାଦୂ ପଦାର୍ଥ କରାଇ ଅଶନ ।
ବସାଇ ଚୁଳ କୁସୁମେ ଚନ୍ଦନ ଲେପନ ଯେ ।୬୪।
ବସିଲା ଓଳଗି ପାଶେ ଜରତା ସୂମୁହିଁ ।
ବେଷ୍ଟିତା ଲତା ପାଦପେ ପରା କୋଳ ବିହି ଯେ ।୬୫।
ବିଜ୍ଞାନେ ଋଷିକୁମାର ଉତ୍ତାନେ ଶୋଇଲା ଯେ୬୬।
ବିଧୁନନ ଆରମ୍ଭିଲା ପୁରୁଷାୟିତରେ ।
ବନପତି ଉପରେ ହରିଣୀ ଲୀଳା କରେ ଯେ ।୬୭।
ବୈଶ୍ୱାନର ପରେ ନୃତ୍ୟ କରେ ଶୁଭ୍ରାପାଙ୍ଗୀ ।
ବିଷମ ସମସ୍ୟହିଁ ପୂରଣ ଶ୍ଳେଷଭଙ୍ଗ ଯେ ।୬୮।
ବସୁଁ ଚେତା, ଭାବେ ଅନଅନୁଭବୀ ଯୁବା ।
ବିବୁଧାଳୟ ସୁଖ ଯେ ସେହି ଏହି ଅବା ଯେ ।୬୯।
ବାଜିଣୀ କିଙ୍କିଣୀ ବାଦ୍ୟ ତାଳି ତାଳି ସ୍ୱନ ।
ବ୍ୟାଖ୍ୟାନ ଧ୍ୱନି ଶ୍ଳେଷ ସେ କରାଇ ପ୍ରଧାନ ଯେ ।୭୦।
ବିବୁଦ୍ଧ ହୁଅଇ ସେହି ସୂରନାମା ହୃଦେ ।
ବାଦେ ବେଣୀ ହାର ନାଚେ ନିଶ୍ଚୟ ସେ ବାଦ୍ୟେ ଯେ ।୭୧।
ବାହିଲେ ସଲିଳରଥ କୈବର୍ତ୍ତେ ସେକାଳେ ।
ବାହୁକ ପ୍ରାୟେ ସେ ଦଣ୍ଡଧାରଣେ ଦିଶିଲେ ଯେ ।୭୨ ।
ବୀଚି ରଜ୍ଜୂ ମୀନ କୂର୍ମ ଝିଙ୍କାଜନ ଯୋଖେ ।
ବେନିରୋଧେ ମୃଗ ମୃଗୀ ନର ନାରୀ ଦେଖେ ଯେ ।୭୩ ।
ବସ୍ତ୍ରକୁଞ୍ଚା ଚିରାଳ ଚାମରେ ସେ ମଣ୍ଡନ ।
ବିସ୍ତୃତି ରୂପକ ରଥଯାତ୍ରାର ସମାନ ଯେ ।୭୪।
ବାସର ନିଶୀ ହେବାର ଜଣା ନୋହେ ତହିଁ ।
ବାମା ଦ୍ୱାଦଶେ ଖଟନ୍ତି ରତିରସେ ମୋହି ଯେ ।୭୫।
ବେଳାରେ ଲାଗିଲା ନାବ ଚମ୍ପାବତୀ ପୁରେ ।
ବରଷିଲା ଋଷି ଝରନୀର ଲୋଡିବାରେ ଯେ ।୭୬।
ବହିଲା ପ୍ରବାହ, ପୂର୍ଣ୍ଣ କେଦାର ହୋଇଲେ । ।
ବିଭାଣ୍ଡକ ପୁତ୍ରପାଶେ ଲୋମପାଦ ମିଳେ ଯେ ।୭୭।
ବିରଚିଲେ ଲକ୍ଷ ଗିରି ସଙ୍ଗେ ଋଷ୍ୟଶୃଙ୍ଗ ।
ବିଘାତ ବଜ୍ର-ସୁହାସ ଯୋଗେ ଦମ୍ଭ ଭଙ୍ଗ ଯେ ।୭୮।
ବିଷୟ ବୁଝାଉଁ ଯୋଦ୍ଧା ମହାତପୋବନ୍ତେ ।
ବାଞ୍ଛି କଲ୍ୟାଣ ବସାଇ ରାଜା ଦଣ୍ଡବତେ ଯେ ।୭୯।
ବିମଳ ଚିତ୍ତେ ମଣ୍ଡିଲେ ଯାଇ ତାର ପୁରୀ ।
ବରଦାତା ପୁତ୍ରଦାନେ ହେମାରମ୍ଭ କରି ଯେ ।୮୦।
ବାକଲ୍ୟାଣିଏ ଶୁଣି ଦଶରଥେ କହି ।
ବେଶ୍ୟା ଜରତା ପ୍ରମୁଖ୍ୟା ଜାଙ୍ଗଳିକା ହୋଇ ଯେ ।୮୧।
ବିବର ପର୍ଣ୍ଣକୁଟୀରେ ଥିଲେ ମୁନିନାଗ ।
ବଜାଇ ସପ୍ତକୀ ନାଗେଶ୍ୱର ବାଦ୍ୟ ବେଗ ।୮୨।
ବିଭେଦିତ-କୃତଚିତ୍ତ ରସଗୀତ ଗାଇ ।
ବିଧୂଚୁର୍ଣ୍ଣ ମନ୍ତ୍ରଧୂଳି ପକାଇ ପକାଇ ଯେ ।୮୩।
ବାହାରକୁ ଆଣି ନାବ ପେଡ଼ାରେ ମୁଦିଲା ।
ବିଳାସ ବଶ କରିଣ ପୁଣି ଖେଳାଇଲା ଯେ ।୮୪।
ବାରବାମା ବାର ଭୋଗିନୀରେ ସେହି ଯୋଗୀ ।
ବିଗରିତ ଏଣିକି ସେ ବୋଲାଇବେ ଭୋଗୀ ଯେ ।୮୫।
ବହି ନାଗରେ ଇଶ୍ୱରପରି ଚମ୍ପାପୁରେ ।
ବସନ୍ତି କୃପାଳୁ ହୋଇ କୁମାର ଦାନରେ ଯେ ।୮୬।
ବାର୍ତ୍ତା ଶୁଣି ତୋଷ ତ୍ୱରା ହୋଇ ସୁର୍ଯ୍ୟବଂଶୀ ।
ବଳ ସଜ କରି ଚମ୍ପାପୁରେ ମିଳେ ଆସି ଯେ ।୮୭।
ବାଟୁଁ ଲୋମପାଦ ନେଇ ଋଷିଙ୍କି ଭେଟାଇ ।
ବିକଶିତହାସ କରି କଲ୍ୟାଣେ ବସାଇ ଯେ ।୮୮।
ବିପ୍ରୋତ୍ତମ ପୁଚ୍ଛେ ତବ ସର୍ବମଙ୍ଗଳ କି?
ବୋଲେ ବିକଳ୍ପେ ପୁଚ୍ଛିଲ ସର୍ବଜ୍ଞ ତରକି ଯେ ।୮୯।
ବ୍ୟଥା ଜନମୁଁ ବିନତି ହୋଇଣ ତଦର୍ଥୀ ।
ବରରୂପାଜୀବା ଅଛି କହିଦେଲା ଏଥି ଯେ ।୯୦।
ବରାଙ୍ଗନା ସୁନ୍ଦରୀରତନ ତବ ସୁତା ।
ବିବାହ କର ଯତୀନ୍ଦ୍ରେ ହେବେ ସୁତଦାତା ଯେ ।୯୧।
ବୀରବର ଉପଇନ୍ଦ୍ର ଭଞ୍ଜ କହେ ରସ ।
ବୟାଣୋଇ ପଦରେ ଏ ଛାନ୍ଦ ହେଲା ଶେଷ ଯେ ।୯୨।