ମୋ ଜୀବନ ପଛେ ନର୍କେ ପଡ଼ିଥାଉ

ବଖାଣି ମହିମା ଧୁନିକୁ ସ୍ଥାପିବା ଶ୍ରୀମୁଖରେ ଆଜ୍ଞା ଦେଲେ।
ଦାସପଣେ କିଣି ଅର୍ଦ୍ଧବାଟେ ଆଣି କିମ୍ପା ଏତେ ସରି କଲେ ।୧।
ନାହିଁ ମୋ ଭରସା ଉଡ଼ୁଛି ସହସା କି ବୁଦ୍ଧି କରିବି କହ।
ଜଗତ ସମ୍ଭାଳି ଭଗତଙ୍କୁ ପାଳି ତୁମ୍ଭ ଭାରା ତୁମ୍ଭେ ବହ ।୨।
ଭଗତଙ୍କ ଦୁଃଖ ନିରନ୍ତର ଦେଖ ଲାଗିଲାଟି ପଦାରବିନ୍ଦେ।
ବାନ୍ଧିଥା ଯୋଗାଡ଼ି ଆଗପଛ କରି ବହିଥାଅ ନିଜ କାନ୍ଧେ ।୩।
ସମ୍ପତ୍ତି ବିପତ୍ତି ମୁକତି ଦୁର୍ଗତି ଭିଆଣ କରିଛ ଯୋଡ଼ି।
ପାପ ଦୁଃଖଭାର କେ ତୁମ୍ଭ ବହିବ ପାଦତଳେ ଥାଉ ପଡ଼ି ।୪।
ବିଜେ କରିଅଛ କିମ୍ପା ନବୁଝୁଛ ପଳାଇ ପଶିବି କାହିଁ।
ଅରଜି ପାପଭାରା କରିବି ପସରା ପାଦତଳେ ଦେବି ଥୋଇ ।୫।
ଶରଣ ବାଞ୍ଛିତ କାନ୍ଦି କାନ୍ଦି ଭକ୍ତ ଗଡ଼ିଗଲେଣି ସକଳ।
ଦୋଷ ଅପରାଧ କ୍ଷମା କରି ଗୁରୁ ଜାଗ୍ରତରେ ପ୍ରତିପାଳ ।୬।
ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁଦେଖୁ କେବା ସହୁ।
ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ ।୭।
ଜଣାଉଛି ମୁଁ ଯେ ଭକ୍ତି ଭାବରଞ୍ଜେ ଆହେ ଅଣିମା ଅନନ୍ତ।
ତିନି ବ୍ରହ୍ମାଣ୍ଡରେ ଯେତେ ଜୀବଛନ୍ତି ସମସ୍ତେ ତୁମ୍ଭ ଭଗତ ।୮।
ନବଲକ୍ଷ ତାରା ସୁରାଟ ବିରାଟ ଧ୍ରୁବଲୋକ ଆଦି ଯେତେ।
ସମସ୍ତେ ତୁମ୍ଭ ପାଦତଳେ ଆଶ୍ରିତ ଠୁଳ ଶୂନ୍ୟ ପରିଯନ୍ତେ ।୯।
ଠୁଳ ଶୂନ୍ୟଠାରୁ ତହିଁ ଉପରକୁ ଦେଖିଲଇଁ ନାହିଁ କିଛି।
ଅବିକାର ବ୍ରହ୍ମ ଅନାମ ଅରୂପ ସିନ୍ଧୁ ପ୍ରାୟ ପୂରିଅଛି ।୧୦।
କିବା ଦୁଷ୍ଟ ସନ୍ଥ ସେବକ ସାମନ୍ତ କୀଟ ପତଙ୍ଗରେ ପୂରି।
ତୁମ୍ଭେ ପୂରିଅଛ କାହିଁ ଊଣା ନାହିଁ ସର୍ବଘଟେ ସମସରି ।୧୧।
ମେଦିନୀ ପାଷାଣ କାଠ ତରୁ ତୃଣ ନିର୍ଜୀବରେ ଯେହୁ ଗଚ୍ଛି।
ମୁଁ ଯେ ଜାଣୁଅଛି ମନର ଭିତରେ ଶବ୍ଦବ୍ରହ୍ମ ହେଲେ ଅଛି ।୧୨।
ମୁଁ ଯେ ମୂର୍ଖ କବି ଭେଦ ମାର୍ଗେ ଜଗି ତୁମ୍ଭ କରୁଣା ମାତର।
ସମାନରେ ଦେଖି ସତ୍ୟ ଧର୍ମ ସାକ୍ଷୀ କରି ନପାରେ ଅନ୍ତର ।୧୩।
ତ୍ରିପୁର ଜଗତେ ଜୀବଛନ୍ତି ଯେତେ ଅଛି ନାମ କଳା ଚିହ୍ନ।
ସମସ୍ତେ ସଙ୍ଖୁଳି ଏକ ଆତ୍ମା ବୋଲି ନକରି ହୋ ଆନ ଭିନ୍ନ ।୧୪।
କାଠର ଭିତରେ ସୁଢ଼ଳ ଧାତୁରେ ଜଳ ପୂରିଥାଇ ଯେତେ।
ପ୍ରାଣୀଙ୍କ ଅଙ୍ଗରେ ଜୀବକର୍ମ ରୂପ ଫୁଟି ଦିଶୁଥାଇ ସତେ ।୧୫।
ଦୋଷକୃତ ହାନି ଲାଭ ଧରା ମରା ଗାଳି ଦ୍ବନ୍ଦ୍ବ ହୁଅନ୍ତି ଯହିଁ।
ରୁମ ଚର୍ମ ଭେଦି କାଟେ ଜୀବନକୁ କାତର ମୁଁ ହେଉଥାଇ ।୧୬।
ଅଗ୍ନି ଚୁଲା ପରେ ତାରଣ ଭାଣ୍ଡରେ ଯେସନେ ଫୁଟଇ ଅନ୍ନ।
ତେସନ ପରାଏ ହୃଦେ ଡେଉଁଥାଇ ପଞ୍ଚଭୂତ ଆଜ୍ଞାମାନ ।୧୭।
ଏକ ଖଣ୍ଡ ହାଡ଼ ବୁନ୍ଦାଏ ରୁଧିର ଫୁଟେ ମାଉଁସ ଜାଣଇ।
ତେଣୁକରି ସିନା ପ୍ରାଣୀଙ୍କ ବିକଳ ସହି ନ ପାରିବି ମୁହିଁ ।୧୮।
ଏକା ଖଡ଼ଗରେ ଦଶ ପାଞ୍ଚ ମୁଣ୍ଡ ଛିଡ଼ଇ ଭାରତ ଯୁଦ୍ଧେ।
ଆରେକ ଅଙ୍ଗକୁ ପାଦେ ପ୍ରହାରିଲେ ଏ ଅଙ୍ଗକୁ ମୋର ବାଧେ ।୧୯।
ଆତ୍ମା ଭଗତିରେ ଦୋଷାଦୋଷ ହେଲେ ବଜ୍ର ପଡୁ ମୋ ମୁଣ୍ଡକୁ
କହେ ଭୀମ ଭୋଇ ବ୍ରହ୍ମଶାପ ଦେଇ ଜାଳି ଦିଅ ମୋ ପିଣ୍ଡକୁ ।୨୦।

ସନ୍ଥକବି ଭୀମ ଭୋଇ

ଭୀମ ଭୋଇ (୧୮୫୦-୧୮୯୫) ଜଣେ ଓଡ଼ିଆ କବି ଓ ମହିମା ଧର୍ମର ପ୍ରଚାରକ ଥିଲେ ।[୧] ସେ ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲଠାରେ ଜନ୍ମ ଗ୍ରହଣ କରିଥିଲେ ।[୨][୩][୧] ଭୀମ ଭୋଇ ଜଣେ ସେ ସନ୍ଥ-କବି ଭାବରେ ପରିଚିତ ଥିଲେ । ତାଙ୍କର ରଚନା ସବୁରେ ମାନବ ଧର୍ମ, ଦର୍ଶନ ଓ ଜୀବନ ଓ କାମ କରିବାର ଧାରାକୁ ଖୁବ ସରଳ ଓ ସାବଲୀଳ ଭାବରେ ବର୍ଣ୍ଣନା କରାଯାଇଅଛି । ବାଲ୍ୟକାଳରୁ ଅନାଥ ଥିବା ସହିତ ଅନ୍ଧ ମଧ୍ୟ ଥିଲେ ଏବଂ ବଡ଼ ଦୁଃଖ ଓ କଷ୍ଟରେ କାଳାତିପାତ କରୁଥିଲେ । ଏହା ସତ୍ତ୍ବେ ମହିମା ଧର୍ମର ପ୍ରଚାର ଓ ପ୍ରସାର ପାଇଁ ତାଙ୍କ ଦ୍ବାରା ରଚିତ ସ୍ତୁତି ଚିନ୍ତାମଣି, ନିର୍ବେଦ ସାଧନା, ଆଦି ଅନ୍ତଗୀତା, ଅନାଦି ସଂହିତା, ଭୀମ ଭୋଇ ମାଳିକା ଆଦି ଗ୍ରନ୍ଥ ଆଜି ମଧ୍ୟ ବେଶ୍‌ ଆଦୃତ ଲାଭ କରିଛି । ତାଙ୍କ ସମୟରେ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବାରେ ଭୀମ ଭୋଇଙ୍କ ରଚନାଗୁଡ଼ିକର ଅବଦାନ ଅନସ୍ବୀକାର୍ଯ୍ୟ ।

You may also like...